ସମ୍ଭାବ୍ୟ ବାତ୍ୟା ‘ଅକଭାନ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ସମସ୍ତ ନଦୀଘାଟ ଓ ପଞ୍ଚୁକ ପାଳନ ହେଉଥିବା ମନ୍ଦିରକୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି । ନଭେମ୍ବର ୨୦ ଓ ୨୧ ତାରିଖରେ ଏହି କଟକଣା ଲାଗୁ ହେବ । ଏ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (IMD) କଟକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ନଭେମ୍ବର ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା, ପବନ ଓ ପ୍ରତିକୂଳ ପାଣିପାଗ ରହିବାର ଆଶଙ୍କା ରହିଛି । ଏହି ସମୟରେ ପଞ୍ଚୁକ ଆରମ୍ଭ ହେଉଥିବାରୁ ବିଭିନ୍ନ ନଦୀଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ପବିତ୍ର ସ୍ନାନ ପାଇଁ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୨୦ ତାରିଖଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପଞ୍ଚୁକ ବ୍ରତ ପାଳନ ହେଉଥିବା ସମସ୍ତ ନଦୀଘାଟ ଓ ମନ୍ଦିର ସାଧାରଣ ଲୋକ ଏବଂ ଭକ୍ତଙ୍କ ପାଇଁ ବନ୍ଦ ରହିବ । କେବଳ ଅଧିକୃତ ସେବାୟତ ଓ ପୂଜକମାନେ ମନ୍ଦିରରେ ଦୈନିକ ନୀତିକାନ୍ତି କରିପାରିବେ । ଏହି ସମୟରେ ଭକ୍ତଙ୍କ ଉପସ୍ଥିତି କିମ୍ବା ସମାଗମକୁ ଅନୁମତି ଦିଆଯିବ ନାହିଁ । ସେହିପରି ନଭେମ୍ବର ୨୦ ଓ ୨୧ ତାରିଖରେ ନଦୀଘାଟକୁ ଯିବା, ନଦୀରେ ବୁଡ଼ ପକାଇବା, ପବିତ୍ର ସ୍ନାନ କରିବା ଏବଂ ପଞ୍ଚୁକ ସହ ଜଡ଼ିତ ଘାଟ ଓ ଜଳପଥରେ ଘରୋଇ ତଥା ବାଣିଜ୍ୟିକ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଯାଇଛି । ବାତ୍ୟା ସତର୍କ ସୂଚନା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । Post navigation Cyclone Akvan: ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି, ୨.୯୮ ଲକ୍ଷ ଲୋକ ସ୍ଥାନାନ୍ତରିତ; ଗଞ୍ଜାମରୁ ସର୍ବାଧିକ ୧.୩୮ ଲକ୍ଷ ସ୍ଥାନାନ୍ତରିତ