Cyclone Akvan -2.98 Lakh People Evacuated Across Odisha; Ganjam Accounts for Highest 1.38 Lakh

ସମ୍ଭାବ୍ୟ ବାତ୍ୟା ‘ଅକ୍‌ୱାନ୍‌’ର ମୁକାବିଲା ପାଇଁ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଚାଲିଛି । ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ବାତ୍ୟା ମୁକାବିଲା ନିମନ୍ତେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ । ବିଶେଷକରି ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ଫୋକସ୍ ରଖାଯାଇଛି ।

SRCଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୨ ହଜାର ୬୨୩ଟି ସ୍ଥାନରୁ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୯୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୩୮ ହଜାର ଲୋକ ଥିବାବେଳେ ଗଜପତିରୁ ୨୨ ହଜାର ଏବଂ କନ୍ଧମାଳରୁ ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ସୁରକ୍ଷା ଦୃଷ୍ଟିରୁ ୪ ହଜାର ୨୦୦ ଗର୍ଭବତୀ ମହିଳାଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ନିଆଯାଇଛି । ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରୁ ୪୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ରହିଛି । ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ନୂଆଗୋଳାବନ୍ଧ ଗ୍ରାମରେ ଘରକୁ ଘର ଯାଇ ଅବଶିଷ୍ଟ ପରିବାରଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବା ପାଇଁ ବୁଝାଇଥିଲେ ।

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୦ ନଭେମ୍ବର ୨୦୨୬ ତାରିଖରେ ଗୋଟିଏ ଦିନ ପାଇଁ ଜିଲ୍ଲାରେ ସମସ୍ତ ଘରୋଇ ବସ୍, ଟ୍ରକ୍, CRUT ଏବଂ OSRTC ବସ୍ ସେବା ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହନଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।

ଏଥିସହ ବାତ୍ୟାର ସ୍ଥିତି ଉପରେ ନଜର ରଖିବା ଏବଂ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି। ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି।

By Nirvay

Leave a Reply

Your email address will not be published. Required fields are marked *