ଜଗତସିଂହପୁର ଜିଲ୍ଲା ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ଆଜି ସକାଳୁ ଏକାକାଳୀନ ୬ଟି ସ୍ଥାନରେ ଏହି ରେଡ୍‌ ଜାରି ରହିଛି।

୬ଟି ସ୍ଥାନଗୁଡ଼ିକ ହେଲା:- ରଘୁନାଥପୁର ଥାନା ଅନ୍ତର୍ଗତ ପଟେଣିଗାଁର ପ୍ରାୟ ୭,୦୦୦ ବର୍ଗ ଫୁଟ୍‌ର ୨ ମହଲା ଆବାସିକ ଭବନ, ପ୍ରାୟ ୪,୦୦ ଫୁଟ୍‌ର ଏକ ଟେଣ୍ଟ ହାଉସ୍‌, ଅନ୍ୟ ଏକ ୩,୦୦୦ ବର୍ଗ ଫୁଟ୍‌ର ୨ ମହଲା କୋଠା। ନାଉଗାଁ ତହସିଲ କାର୍ଯ୍ୟାଳୟସ୍ଥିତ ଭଞ୍ଜକିଶୋରଙ୍କ ନିଜ ଅଫିସ୍‌, ତିର୍ତ୍ତୋଲ ବ୍ଲକ୍‌ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟସ୍ଥିତ ତାଙ୍କର ପୂର୍ବ କାର୍ଯ୍ୟାଳୟ, ସାଣକୋରକୋରାରେ ସମ୍ପର୍କୀୟଙ୍କ ଘର।

ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଆକଳନ ଓ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତଦନ୍ତ ଶେଷ ହେବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ସୂଚନା ଅନୁଯାୟୀ; ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟ କରିବା ସମୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସରକାରୀ ଅନୁଦାନ ଆତ୍ମସାତ୍‌ କରିବା ଅଭିଯୋଗରେ ଭଞ୍ଜକିଶୋରଙ୍କୁ ପୂର୍ବରୁ ଅଗଷ୍ଟ ୧୨ରେ ଗିରଫ କରାଯାଇଥିଲା। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ (୨୦୧୮) ଅଧୀନରେ କେସ୍‌ ନଂ ୩୦/୨୦୨୬ ରୁଜୁ ହୋଇଛି।

 

Leave a Reply

Your email address will not be published. Required fields are marked *