ଦୁଇବର୍ଷ ହେଲା ମୋହନ ସରକାର ଦୁଇଟି ଫ୍ରଣ୍ଟରେ ଲଢ଼େଇ କରିଆସୁଥିଲେ । ଏହି ଦୁଇ ଫ୍ରଣ୍ଟ ହେଲା- ଆଭ୍ୟନ୍ତରୀଣ ଏବଂ ବାହାର ଅର୍ଥାତ ବିରୋଧୀ ଦଳ। କିନ୍ତୁ ଏବେ ଆଉ ଏକ ତୃତୀୟ ଫ୍ରଣ୍ଟ ଖୋଲିଛି ଓଡ଼ିଶାର ପ୍ରଥମ ଭାଜପା ସରକାରଙ୍କ ପାଇଁ ବିପଦ ହୋଇ।

ବିରୋଧୀ ଦଳ ନିଜସ୍ୱ ସଂକଟ ଭିତରେ ଘେରିହୋଇଯାଇଛି । କଂଗ୍ରେସ ଆରମ୍ଭରୁ ସାମାନ୍ୟ ଜୋସ୍ ଦେଖାଇଥିଲା। ଏବେ ବିଜଦ ସହ ମେଣ୍ଟ ସ୍ଵପ୍ନରେ ତାହା ବି ହରାଇଛି । ସଭାପତି ଭକ୍ତ ଦାସ ଦଳକୁ ସଜାଡ଼ି ପାରିବାର କୌଣସି ସଂକେତ ଦେଇପାରି ନାହାନ୍ତି । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ତାଙ୍କ ପତିଆରାକୁ ଧ୍ୱସ୍ତ କରିଦେଇଛି।

ବିଜୁ ଜନତା ଦଳ କ୍ଷମତାରୁ ଯିବାପରେ ସମ୍ପୂର୍ଣ୍ଣ ଦିଗହରା । ଗୋଟିଏ ଗୋଷ୍ଠୀ ଏପର୍ଯ୍ୟନ୍ତ ପାଣ୍ଡିଆନ ଫେରିବେ, ବୁଲିବୁଲି ଦଳକୁ ମଜଭୂତ କରିଦେବେ ଏବଂ ପୁଣି କ୍ଷମତା ଫେରିପାଇବ ବିଜଦ, ଏଭଳି ଏକ ସ୍ଵପ୍ନ ଭିତରୁ ବାହାରିପାରୁ ନାହାନ୍ତି । ସଭାପତି ନବୀନ ପଟନାୟକ କ୍ରମଶଃ ପରଦା ପଛକୁ ଚାଲିଯାଉଛନ୍ତି । ଉତ୍ତରାଧିକାରୀ ନାହାନ୍ତି । ମୂଳ ନେତାମାନେ ଦଳ ଛାଡୁଛନ୍ତି କିମ୍ବା ଦଳରୁ ଦୂରେଇ ରହୁଛନ୍ତି। ବଳ ବୟସ ନଥିବାରୁ ନବୀନଙ୍କ ନେତୃତ୍ୱ ସମ୍ପୂର୍ଣ୍ଣ ଢିଲା ପଡ଼ିଯାଇଛି। ତେଣୁ ରାଜ୍ୟର ପ୍ରଥମ ଭାଜପା ସରକାର ନିକଟ ଭବିଷ୍ୟତରେ ଦୁଇ ବିରୋଧୀ ଦଳ ବିଜଦ ଓ କଂଗ୍ରେସଠାରୁ କୌଣସି ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାର ସମ୍ଭାବନା କମ।

କିନ୍ତୁ ସମସ୍ୟାଟି ଦଳ ଭିତରୁ। ଏହାକୁ ଆଭ୍ୟନ୍ତରୀଣ ବିପଦ ବୋଲି କୁହାଯାଇପାରେ। ଦଳ ବସ୍ତୁତଃ ଦୁଇଟି ଗୋଷ୍ଠୀରେ ବିଭାଜିତ। ମୋହ‌ନ ଓ ମନମୋହନ ଗୋଷ୍ଠୀ ଏବଂ ଧର୍ମେନ୍ଦ୍ର ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭିତରେ ସମ୍ପର୍କ ଅତି ଖରାପ। ଛାଇ ପଡ଼ିଲେ ନାହିଁ ଡେଇଁଲା ଭଳି ଅବସ୍ଥା। ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ଅନୁଗତଙ୍କ ସଂଖ୍ୟା ଅଧିକ। ବିଧାୟକଙ୍କ ଭିତରେ ମଧ୍ଯ ଧର୍ମେନ୍ଦ୍ରଙ୍କ ଅନୁଗତଙ୍କ ସଂଖ୍ୟା ବେଶି। ଅମଲାତନ୍ତ୍ର ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହାନ୍ତି। ଏଥିପାଇଁ ଦୁଇବର୍ଷ ହେବାକୁ ବସିଲା, ନିଗମ ଏବଂ ବୋର୍ଡ଼ ନିଯୁକ୍ତି କରିପାରିଲେ ନାହିଁ ମୋହନ ଓ ମନମୋହନ। ସାମଗ୍ରିକ ଭାବେ ଏହି ଅସନ୍ତୋଷରୁ ଧର୍ମେନ୍ଦ୍ର ଗୋଷ୍ଠୀ ଫାଇଦା ନେଉଛନ୍ତି ଓ ବିଭିନ୍ନ ପ୍ରକାର ଫାଶ ପକାଇ ଚାଲିଛନ୍ତି । ସୁତରାଂ ମୋହନ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଆଭ୍ୟନ୍ତରୀଣ ବିପଦଟି ବଡ଼ ସମସ୍ୟା ସୃଷ୍ଟି କରିଛି।

କିନ୍ତୁ ଏବେ ଦୁଇ ସପ୍ତାହ ହେଲା ଆଉ ଏକ ବିପଦ ରାଜ୍ୟ ଭାଜପା ଏବଂ ପ୍ରଥମ ଭାଜପା ସରକାର ପାଇଁ ମୁଣ୍ଡ ଟେକୁଛି। ଏହି ବିପଦ ଆସୁଛି ବଙ୍ଗ ଆଡୁ । ବଙ୍ଗରେ ପ୍ରଥମ ଭାଜପା ସରକାର ଗଢ଼ା ହେଲା ଗତ ୯ ତାରିଖ ଦିନ । ମାତ୍ର ଦୁଇ ସପ୍ତାହ ଯାଇଛି। ଏତେ ଆକ୍ସନକୈନ୍ଦ୍ରିକ ଶୁଭେନ୍ଦୁ ସରକାର, ଯାହା ନିଷ୍କ୍ରିୟ ମୋହନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। ବଙ୍ଗରେ ସବୁ କାମ ତ୍ବରିତ ଢଙ୍ଗରେ ଚାଲିଛି। ଏମିତି ଅବସ୍ଥା ଯେ ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ୧୫ ବର୍ଷ କ୍ଷମତାରେ ରହିଆସିଥ‌ିବା ମମତାଙ୍କ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଯୋଗାଡ଼ କରିପାରୁ ନାହିଁ। ଫାଲ୍‌ତାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୪ର୍ଥ ସ୍ଥାନରେ ରହିଛନ୍ତି। ଭାଜପା ଲକ୍ଷାଧିକ ଭୋଟରେ ଏହି ଆସନ ଜିଣିଛି। ତୃଣମୂଳ କଂଗ୍ରେସ ବିଧାୟକ ଦଳରେ ଜବରଦସ୍ତ ଫାଟ ପଡ଼ିସାରିଛି। ସଂସଦୀୟ ଦଳରେ ମଧ୍ଯ ବିଭାଜନ ହୋଇପାରେ ବୋଲି ସୂଚନା ମିଳିଲାଣି। ଓଡ଼ିଶାରେ ଭାଜପା ସରକାର ଆସିଲା ପରେ ବିଜଦ ଓ ପାଣ୍ଡିଆନପନ୍ଥୀ ଅଧିକାରୀଙ୍କ ପ୍ରତି ଅହେତୁକ ଅନୁରାଗ ପ୍ରଦର୍ଶନ କରିଛନ୍ତି ।

କିନ୍ତୁ ବଙ୍ଗରେ ସମ୍ପୂର୍ଣ୍ଣ ଓଲଟା। ଦୁର୍ନୀତିଗ୍ରସ୍ତ ଓ ପ୍ରଭାବଶାଳୀ ତୃଣମୂଳ ଅନୁଗତ ଅଧିକାରୀଙ୍କୁ ଗିରଫ କରାଯାଉଛି। ୪ ଜଣ ଆଇପିଏସ୍ ଅଧିକାରୀ ଦୁଇବର୍ଷ ପୁରୁଣା ଆର୍‌ଜି କର ଦୁଷ୍କର୍ମ ମାମଲାରେ ସସ୍ପେଣ୍ଡ ହୋଇଛନ୍ତି । ଓଡ଼ିଶାରେ ପାଣ୍ଡିଆନ୍ ଇକୋସିଷ୍ଟମର ଅଧିକାରୀମାନେ ବେଶ୍ ମଉଜରେ ଅଛନ୍ତି। ସେମାନେ ହିଁ ସବୁ କ୍ଷମତା ଉପଭୋଗ କରୁଛନ୍ତି । ଲୋକେ ଏହି ପାର୍ଥକ୍ୟ ଅନୁଭବ କରୁଛନ୍ତି ଏବଂ ବୁଝିଯାଇ ସାରିଲେଣି।

ନବୀନ ନିବାସ ଜବରଦଖଲ ରାସ୍ତା ବାହାରେ ଏପର୍ଯ୍ୟନ୍ତ ହଟାଇପାରି ନାହାନ୍ତି ମୋହନ ସରକାର । କିନ୍ତୁ ବଙ୍ଗରେ ଅଭିଷେକ ବାନାର୍ଜୀଙ୍କ ଜବରଦଖଲ ସମ୍ପତ୍ତି ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ ହେଲାଣି । ବଙ୍ଗରେ ମଙ୍ଗଳବାର ତିନିଟି ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ୫ ଟଙ୍କାରେ ମାଛ-ଭାତ। ସତନ୍ତ୍ର କ୍ୟାଣ୍ଟିନ ଜରିଆରେ ଏହି

ଯୋଜନା ଲାଗୁ ହେବାକୁ ଯାଉଛି। ଏହାଫଳରେ ବଙ୍ଗର ମାଛ ଚାଷକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ। ମାଗଣା ଚାଉଳକୁ ଉପଯୋଗ କରାଯିବ। ଓଡ଼ିଶାରେ ଦୁଇବର୍ଷ ଭିତରେ ଗୋଟିଏ ବି ଅଧିକ ଆହାର କେନ୍ଦ୍ର ଖୋଲିପାରିଲା ନାହିଁ। ଓଡ଼ିଶାରେ ୫ ଟଙ୍କାରେ ଭାତ-ଡାଲମା।

ଶୁଭେନ୍ଦୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା ହେଲା ଅନ୍ନପୂର୍ଣ୍ଣା ଯୋଜନା। ମାସେ ପୂର୍ତ୍ତି ଉପଲକ୍ଷେ ଆରମ୍ଭ ହେବାକୁ ଯାଉଥିବା ଯୋଜନାରେ ମହିଳାଙ୍କୁ ମାସକୁ ୩ହଜାର ଟଙ୍କା ଦିଆଯିବ। ଓଡ଼ିଶାରେ ବର୍ଷକୁ ୧୦ ହଜାର । ଯୋଜନାର ନାମ ସୁଭଦ୍ରା । ଫରକ ଦେଖନ୍ତୁ । ମହିଳାମାନେ ବି ତୁଳନା କରିବେ ।

ସବୁଠାରୁ ବଡ଼ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଶିକ୍ଷାନୁଷ୍ଠାନର ୧ କିଲୋମିଟର ଭିତରେ ମଦ ଦୋକାନ ଖୋଲାଯିବ ନାହିଁ କିମ୍ବା ଖୋଲିଥିବା ମଦ ଦୋକାନ ଚାଲି ପାରିବ ନାହିଁ । ଓଡ଼ିଶାରେ କିନ୍ତୁ ଅଜବ ଅବକାରୀ ନୀତି।

ଯେଉଁଠି ପାର ସେଇଠି ଖୋଲ। ଅଧିକାଂଶ ଶିକ୍ଷାନୁଷ୍ଠାନର ଅତି ନିକଟରେ ରହିଛି ମଦ ଦୋକାନ ନହେଲେ ବାର୍।

ବଙ୍ଗ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ଖୋଜି ବାହାର କର, ରାଜ୍ୟରୁ ତଡ଼। ଅର୍ଥାତ ଅନୁପ୍ରବେଶକାରୀଙ୍କ ପାଇଁ ବଙ୍ଗରେ ସ୍ଥାନ ନାହିଁ । କିନ୍ତୁ ଓଡ଼ିଶାରେ ଦୁଇବର୍ଷ ଭିତରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ସଠିକ ଢଙ୍ଗରେ ଆରମ୍ଭବି ହୋଇପାରି ନାହିଁ। ମଝିରେ ମଝିରେ ବାଂଲାଦେଶୀ ଧରାପଡ଼ନ୍ତି ଏବଂ କିଛି ଧରପଗଡ଼ ହୁଏ । ତା’ପରେ ସବୁ ଚୁପ୍‌ଚାପ୍ ।

ଦୁଇ ସପ୍ତାହ ଭିତରେ ଶୁଭେନ୍ଦୁ ଦେଖାଇ ଦେଲେ ଯେ ଅମଲାତନ୍ତ୍ରକୁ କିଭଳି ନିୟନ୍ତ୍ରଣରେ ରଖାଯାଇପାରେ । କିନ୍ତୁ ଓଡ଼ିଶାର ମୋହନ ଦୁଇବର୍ଷ ଭିତରେ ଦେଖାଇ ଦେଲେ ଯେ ସରକାରଙ୍କୁ କିଭଳି ଅମଲାତନ୍ତ୍ର ନଚାଇ ଦେଇପାରେ । ଲୋକେ ଯେତେ ତୁଳନା କରିବେ, ମୋହନ ସରକାରଙ୍କ ବିରୋଧରେ ସେତିକି ପ୍ରତିକୂଳ ପ୍ରତିକ୍ରିୟା ଜନତାଙ୍କ ଭିତରେ ବଢ଼ିଚାଲିବ।

Leave a Reply

Your email address will not be published. Required fields are marked *