ସମଗ୍ର ଦେଶରେ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ସରଗରମ ଜାରି ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ବିରୋଧ ଏବଂ ପ୍ରତିବାଦ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ନିଜର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘SIR’ କୌଣସି ସାଧାରଣ ନିୟମ ନୁହେଁ, ବରଂ ଏହା ନିର୍ବାଚନୀ ବ୍ୟବସ୍ଥାକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁଦୃଢ଼ କରିବା ପାଇଁ ଏକ ଅତି ଗଠନମୂଳକ ଓ ଆବଶ୍ୟକୀୟ ଅଭ୍ୟାସ।

​ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ, ଗୋଟିଏ ସୁସ୍ଥ ଗଣତନ୍ତ୍ରର ମୂଳଦୁଆ ହେଉଛି ଅବାଧ ଓ ନିରପେକ୍ଷ ନିର୍ବାଚନ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାରର ସୁରକ୍ଷା। ଏହି ସ୍ୱଚ୍ଛତା ନିର୍ଭର କରେ ଏକ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ଉପରେ। ଅନେକ ସମୟରେ ଭୋଟର ତାଲିକାରେ ଜଣଙ୍କ ନାମ ଏକାଧିକ ସ୍ଥାନରେ ଦୋହରାଯିବା, ପୁରୁଣା ଅସଙ୍ଗତ ରେକର୍ଡ ରହିବା କିମ୍ବା ମୃତ ବ୍ୟକ୍ତିଙ୍କ ନାମ ନହଟି ରହିବା ଦ୍ୱାରା ନିର୍ବାଚନର ସ୍ୱଚ୍ଛତା ପ୍ରଭାବିତ ହୋଇଥାଏ। SIR ମାଧ୍ୟମରେ ଏହି ସବୁ ତ୍ରୁଟିକୁ ନିର୍ଭୁଲ ଭାବେ ଚିହ୍ନଟ କରାଯାଇ ଭୋଟର ତାଲିକାକୁ ଅପଡେଟ୍ କରାଯାଇପାରିବ।

​ଏହା ସହିତ ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକ୍ରିୟା କେବଳ ଅଯୋଗ୍ୟ କିମ୍ବା ନକଲି ନାମ ହଟାଇବ ନାହିଁ, ବରଂ କୌଣସି ପ୍ରକୃତ ଓ ଯୋଗ୍ୟ ଭୋଟର ଯେପରି ଅନ୍ୟାୟ ଭାବେ ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ତାହାକୁ ମଧ୍ୟ ସୁନିଶ୍ଚିତ କରିବ। ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ଏକ ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ଏହା ନିର୍ବାଚନୀ ବ୍ୟବସ୍ଥା ଓ ଗଣତନ୍ତ୍ର ପ୍ରତି ସାଧାରଣ ଜନତାଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରିବାର ଏକ ପ୍ରମୁଖ ମାଧ୍ୟମ। ସଠିକ୍ ଓ ନିରପେକ୍ଷ ଭାବେ SIR କାର୍ଯ୍ୟକାରୀ ହେଲେ ନିର୍ବାଚନୀ ରେକର୍ଡ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ରହିବ।

Leave a Reply

Your email address will not be published. Required fields are marked *