ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି ଓ ଓଜନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ମନ୍ଦିରର ବିଭିନ୍ନ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି (ଦୁଇ ଦିନ) ମଧ୍ୟରେ ଏହି ଗଣତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବିଶେଷ ବ୍ୟବସ୍ଥାବଳୀ ବା SOP ଅନୁଯାୟୀ ସମଗ୍ର ଗଣତି ପ୍ରକ୍ରିୟା ପରିଚାଳିତ ହେବ । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହେବ।

ମହାପ୍ରଭୁଙ୍କର ଦୁର୍ଲଭ ସୁନା ଅଳଙ୍କାର, ହିରା, ମୋତି, ନୀଳା ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ରତ୍ନରାଜିକୁ ସତର୍କତାର ସହ ଗଣତି ଓ ଓଜନ କରାଯିବ। ଏଗୁଡ଼ିକୁ ୧୯୭୮ ମସିହାରେ ପ୍ରସ୍ତୁତ କରାଯାଇଥିବା ସରକାରୀ ରତ୍ନ ସୂଚୀ ସହିତ ମିଳାଯିବ।

ସମଗ୍ର ପ୍ରକ୍ରିୟାକୁ CCTV କ୍ୟାମେରା ନଜର, ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ମାଧ୍ୟମରେ ରେକର୍ଡ କରାଯିବ।

ଅନ୍ୟପଟେ, ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଚାଲୁଥିବା ସମୟରେ ବି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହେବ ନାହିଁ। ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ପୂର୍ବପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

 

Leave a Reply

Your email address will not be published. Required fields are marked *