ଓଡ଼ିଶାରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତୀୟ ରେଳପଥ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗତ ୦୬ ଜୁଲାଇ ୨୦୨୬ ତାରିଖରେ ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଶୁଭାରମ୍ଭ ପରେ ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ବର୍ତ୍ତମାନ ନିୟମିତ ଭାବେ ଚଳାଚଳ କରିବ। ଏହି ଟ୍ରେନ ୧୧ ଜୁଲାଇ ୨୦୨୬ ଠାରୁ ପୁରୀରୁ ଏବଂ ୧୨ ଜୁଲାଇ ୨୦୨୬ ଠାରୁ କୋରାପୁଟରୁ ନିୟମିତ ଭାବରେ ଚଳାଚଳ କରିବ।

ଟ୍ରେନ ନଂ. ୧୮୪୦୭ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ ୧୧ ଜୁଲାଇ ୨୦୨୬ ଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ। ଟ୍ରେନଟି ସକାଳ ୭ଟାରେ ପୁରୀରୁ ଛାଡ଼ି ସେହିଦିନ ରାତି ୧୧:୩୦ଟାରେ କୋରାପୁଟରେ ପହଞ୍ଚିବ। ସେହିପରି ଟ୍ରେନ ନଂ. ୧୮୪୦୮ କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ୧୨ ଜୁଲାଇ ୨୦୨୬ ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ। ଏହା ସକାଳ ୫ଟାରେ କୋରାପୁଟରୁ ଛାଡ଼ି ସେହିଦିନ ରାତି ୧୦:୨୦ଟାରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ରଇରାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ଼, କାକିରିଗୁମ୍ମା ଏବଂ ଦାମନଯୋଡ଼ି ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ। ଏହା ଦ୍ୱାରା ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଅଧିକ ସୁବିଧାଜନକ ରେଳ ସଂଯୋଗ ପାଇପାରିବେ।

ଏହି ଟ୍ରେନ ରେ ସମୁଦାୟ ୧୮ଟି ଆଧୁନିକ ଏଲ୍‌ଏଚ୍‌ବି କୋଚ୍ ରହିବ। ସେଥିରେ ଗୋଟିଏ ଏସି ଦ୍ୱିତୀୟ ଶ୍ରେଣୀ କୋଚ୍, ତିନୋଟି ଏସି ତୃତୀୟ ଶ୍ରେଣୀ କୋଚ୍, ଆଠଟି ଶୟନଯାନ କୋଚ୍, ଚାରିଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଗୋଟିଏ ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ ବ୍ରେକ୍ ଭ୍ୟାନ୍ ଏବଂ ଗୋଟିଏ ଦିବ୍ୟାଙ୍ଗ-ଅନୁକୂଳ ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ କୋଚ୍ ରହିଛି, ଯାହା ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କୁ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ।

ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ଆରମ୍ଭ ଓଡ଼ିଶାରେ ଯାତ୍ରୀ ସୁବିଧା ବୃଦ୍ଧି ଏବଂ ରେଳ ସଂଯୋଗ ବିସ୍ତାର ଦିଗରେ ଭାରତୀୟ ରେଳପଥର ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଟ୍ରେନ୍ ସେବା ପର୍ଯ୍ୟଟନ, ତୀର୍ଥଯାତ୍ରା, ବାଣିଜ୍ୟ, ଶିକ୍ଷା ଏବଂ ସାମାଜିକ ଓ ଆର୍ଥିକ ବିକାଶକୁ ଗତିଶୀଳ କରିବା ସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଦ୍ରୁତ ଓ ସୁବିଧାଜନକ ରେଳ ସଂଯୋଗ ପ୍ରଦାନ କରିବ।

ଯାତ୍ରୀମାନେ ଏହି ନୂତନ ଟ୍ରେନ ନଂ. ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ସେବାର ଲାଭ ଉଠାଇପାରିବେ। ଟ୍ରେନ୍ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ ଏନ୍‌କ୍ୱାରି ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳପଥର ଅଧିକୃତ ୱେବସାଇଟ୍ ପରିଦର୍ଶନ କରି ଯାତ୍ରା ଯୋଜନା କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *