ବ୍ୟାଙ୍କକକ୍ଠାରେ ଅନୁଷ୍ଠିତ ବିଶ୍ୱ ପାରା ତୀରନ୍ଦାଜି ସିରିଜ୍ ୨୦୨୬ରେ ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଆଗାମୀ ଏସୀୟ ପାରା ଗେମ୍ସ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଅସାଧାରଣ ସଫଳତା ପାଇଁ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ପାୟଲଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫,୪୬,୬୬୬ ଟଙ୍କା ଏବଂ କ୍ରୀଡ଼ା ସରଞ୍ଜାମ କିଣିବା ପାଇଁ ଅତିରିକ୍ତ ୩,୨୩,୧୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପାୟଲଙ୍କୁ ପ୍ରସଂଶା କରି କହିଥିଲେ ଯେ :”ପାୟଲଙ୍କ ସଫଳତା ଠାରୁ ତାଙ୍କର ସଂଘର୍ଷ ଓ ଇଚ୍ଛାଶକ୍ତି ଢେର ଅଧିକ । ସମସ୍ତ ପ୍ରତିକୂଳ ପରିସ୍ଥିତି ଆଗରେ ତାଙ୍କର ଦୃଢ଼ ମନୋବଳ ଆଜିର ଯୁବପିଢ଼ି ପାଇଁ ସବୁଠାରୁ ବଡ଼ ପ୍ରେରଣା । ସମାଜ ବିଶ୍ୱାସ ହରାଇଥିବା ବେଳେ ଜଣେ ମା’ର ଅଖଣ୍ଡ ବିଶ୍ୱାସ ହିଁ ପାୟଲଙ୍କୁ ଏହି ସଫଳତା ଆଣିଦେଇଛି ।” ସେହିପରି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ବକ୍ତବ୍ୟରେ ପାୟଲଙ୍କୁ କହିଥିଲେ ଯେ “ପାୟଲ ନାଗ କେବଳ ଜଣେ ଖେଳାଳି ନୁହଁନ୍ତି, ସେ ହେଉଛନ୍ତି ସାହସ ଓ ସଫଳତାର ଜୀବନ୍ତ ପ୍ରତୀକ । ସେ ଶାରୀରିକ ପ୍ରତିକୂଳତାକୁ ଦୁର୍ବଳତା ନଭାବି ନିଜର ଶକ୍ତିରେ ପରିଣତ କରିଛନ୍ତି ।” ସେହିପରି ପାରା ତୀରନ୍ଦାଜ ପାୟଲ ନାଗ ଖୁସି ହୋଇ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ “ଏକ ଭୟଙ୍କର ଦୁର୍ଘଟଣା ପରେ ସମାଜ ମତେ ଅଲୋଡ଼ା ଭାବିଥିଲା, କିନ୍ତୁ ସେହି ଅନ୍ଧକାର ସମୟରେ ମୋ ମା’ଙ୍କ ବିଶ୍ୱାସ ମୋର ସବୁଠାରୁ ବଡ଼ ସାହସ ସାଜିଥିଲା । ସରକାର ଓ ମନ୍ତ୍ରୀଙ୍କ ଠାରୁ ମିଳିଥିବା ଏହି ପ୍ରୋତ୍ସାହନ ମତେ ଦେଶ ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।” ରାଜ୍ୟ ସରକାର ଆଗାମୀ ଦିନରେ ପାୟଲଙ୍କ ଭଳି ପ୍ରତିଭାବାନ ପାରା-ଆଥଲେଟ୍ମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ଓ ଭିତ୍ତିଭୂମି ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅବସରରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ବାଇଁ, ଅଶୋକ କୁମାର ପଣ୍ଡା, ସୁଧାକର ନାଏକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାୟଲଙ୍କୁ ଉତ୍ସାହିତ କରିଥିଲେ । Post navigation अवैध बांग्लादेशी घुसपैठियों पर ओडिशा सरकार का कड़ा रुख BJD Announces New Team for Cuttack: କଟକ ପାଇଁ ନୂଆ ଟିମ୍ ଘୋଷଣା କଲା ବିଜେଡି