ରାଜ୍ୟରେ ଜାରି ରହିଥିବା ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାର ବଡ଼ ଧରଣର ଆଶଙ୍କା ଦେଖାଦେଇଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ବଜାୟ ରଖିବା ଏବଂ ସାଧାରଣ ଜନଜୀବନକୁ ସ୍ୱାଭାବିକ ରଖିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍ କର୍ମଚାରୀଙ୍କ ଜାରି ରହିଥିବା ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟରେ ‘ଆବଶ୍ୟକୀୟ ସେବା ରକ୍ଷା ଆଇନ’ (ଏସମା) କୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସନ୍ଦର୍ଭରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ରାଜ୍ୟ ପୋଲିସ ମହାନିରୀକ୍ଷକ ଏବଂ ଆଇଜିଙ୍କୁ ଏକ ଚିଠି ଲେଖିଛନ୍ତି। ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ ସୃଷ୍ଟି କରୁଥିବା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ୁଥିବା କର୍ମଚାରୀ ଓ ସଂଘ ବିରୋଧରେ ଦୃଢ଼ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଚିଠିରେ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧ ତାରିଖରୁ ଭାରତୀୟ ମଜଦୁର ସଂଘ ସହ ସଂଯୁକ୍ତ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାରିଡ଼ାଙ୍କ ନେତୃତ୍ୱରେ ‘ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍’ ଅଧୀନରେ ଆନ୍ଦୋଳନ ଜାରି ରହିଛି। ଟିପିସିଓଡିଏଲ୍ ପ୍ରବନ୍ଧକ ସଂଘ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ ବି ଆନ୍ଦୋଳନକାରୀମାନେ ଗଣବିକ୍ଷୋଭ ଓ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଭଳି ଚେତାବନୀ ଦେଇଛନ୍ତି।

ଟିପିସିଓଡିଏଲ୍ ଓଡ଼ିଶାର ନଅଟି ଜିଲ୍ଲାରେ ବିଦ୍ୟୁତ୍ ବଣ୍ଟନ ପାଇଁ ଦାୟୀ ଅଟେ। ବିଭାଗ କହିଛି ଯେ ଦୀର୍ଘ ସମୟ ଧରି କାର୍ଯ୍ୟ ବନ୍ଦ ରହିଲେ ତାହା ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତର ପ୍ରଭାବ ପକାଇପାରେ।

ଏହାପୂର୍ବରୁ ଗୃହ ବିଭାଗ ଗତ ମେ ୨୧, ୨୦୨୬ରେ ଗ୍ରିଡକୋ, ଓପିଟିସିଏଲ୍, ଓଏଚ୍‌ପିସି, ଓପିଜିସି ଏବଂ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ଉପରେ ୬ ମାସ ପାଇଁ ଏସମା ଲାଗୁ କରିଥିଲେ। ଏହି ନିୟମ ବଳବତ୍ତର ଥିବାରୁ ଏହାକୁ ଅବମାନନା କରୁଥିବା ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶକ୍ତି ବିଭାଗ ସ୍ପଷ୍ଟ କରିଛି।

 

Leave a Reply

Your email address will not be published. Required fields are marked *