ଅଗଷ୍ଟ ୧୩ ତାରିଖରୁ ଲଗାଣ ବର୍ଷା ଯୋଗୁଁ ବନ୍ୟାରେ ଓଡ଼ିଶାର ୧୦ଟି ଜିଲ୍ଲାର ୧୩.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବର୍ତ୍ତମାନ ସମଗ୍ର ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାପଡ଼ିଛି । ନଦୀର ଜଳସ୍ତର ବୃଦ୍ଧି ଓ ଘାଇ ସୃଷ୍ଟି ହେବା କାରଣରୁ କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁଯାୟୀ; ଅଗଷ୍ଟ ୧୩ ରୁ ଅଗଷ୍ଟ ୨୬ ମଧ୍ୟରେ ୯୧ଟି ବ୍ଲକ୍, ୬୦୪ଟି ଗ୍ରାମ ପଞ୍ଚାୟତ ଏବଂ ୧,୮୯୫ଟି ଗ୍ରାମ ବନ୍ୟା ଓ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ନଦୀରେ ଜଳସ୍ତର ବୃଦ୍ଧି, ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ନଜରଦାରୀ କଡ଼ାକଡ଼ି କରାଯାଇଛି। ଏଥିରେ ODRAF, NDRF, ଅଗ୍ନିଶମ ସେବା ଏବଂ ପୋଲିସ ବାହିନୀକୁ ମିଶାଇ ମୋଟ ୫୭ଟି ଟିମ୍ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ୪୧,୭୬୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡଙ୍ଗା ସାହାଯ୍ୟରେ ୭୬,୦୫୧ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ରିଲିଫ୍ ଶିବିରଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ବିଶୁଦ୍ଧତା ସହ ଶିଶୁ, ଗର୍ଭବତୀ ମହିଳା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୮୪ଟି ମେଡିକାଲ ଟିମ୍ ଏବଂ ୫୩ଟି ମେଡିକାଲ କ୍ୟାମ୍ପ ଜରିଆରେ ୩୩,୬୫୩ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ୩୦୪ଟି ଝାଡ଼ା/ବାନ୍ତି ଏବଂ ୪୯ଟି ସର୍ପାଘାତ ମାମଲା ସାମ୍ନାକୁ ଆସିଛି। ୩୨୭ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୯୯ଟି ସୁରକ୍ଷିତ ପ୍ରସବ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ରିପୋର୍ଟ ଅନୁଯାୟୀ ପ୍ରାୟ ୧,୦୨,୪୮୧.୫ ହେକ୍ଟର ଧାନ ଚାଷଜମି ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି। ୨୭୯ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ୮୮ଟି ସଡ଼କ ଓ ପୋଲ କ୍ଷତିଗ୍ରସ୍ତ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ରେ NH-49 ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହା ସହ ୭୩,୪୯୫ ବିଦ୍ୟୁତ୍ ଗ୍ରାହକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ୭୬ଟି ଟ୍ୟାଙ୍କର ଏବଂ ୧୦.୨୮ ଲକ୍ଷରୁ ଅଧିକ ପାନୀୟ ଜଳ ବୋତଲ/ପାଉଚ୍ ବଣ୍ଟନ କରାଯାଇଛି। ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ଉଦ୍ଧାରକାରୀ ଦଳ, ଖାଦ୍ୟ, ପାନୀୟ ଜଳ କିମ୍ବା ଔଷଧର କୌଣସି ଅଭାବ ନାହିଁ। ସେ ସାଧାରଣ ଜନତାଙ୍କୁ ସୁରକ୍ଷା ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ଏବଂ ନିଜର ଜୀବନ ଓ ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। Post navigation BBSR MP Presents Performance Report Card: ୭ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ प्रगति बैठक: पीएम मोदी ने 30 हजार करोड़ के छह प्रोजेक्ट की समीक्षा की