ଛାଡ଼ଖାଇର ମାହୋଲ ଭିତରେ ରାଜ୍ୟବାସୀଙ୍କ ଆମିଷ ପ୍ରୀତିକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଏକ ରୋଚକ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଓଡ଼ିଶାରେ ମଟନ, ମାଛ, ଚିକେନ ଏବଂ ଅଣ୍ଡାର ଚାହିଦା ଓ ଉତ୍ପାଦନ କେତେ ରହିଛି, ସେନେଇ ଗୃହରେ ବିସ୍ତୃତ ହିସାବ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ; ଓଡ଼ିଶାବାସୀ ପ୍ରତିବର୍ଷ ପ୍ରାୟ ୧୨୨.୩୬ ହଜାର ମେଟ୍ରିକ ଟନ ମଟନ ଖାଇଥାଆନ୍ତି। କେବଳ ମଟନ ନୁହେଁ, ମାଛ ଓ କୁକୁଡ଼ା ମାଂସ ଖାଇବାରେ ମଧ୍ୟ ଓଡ଼ିଶାବାସୀ ବେଶ୍ ଆଗରେ ରହିଛନ୍ତି। ସରକାରୀ ତଥ୍ୟ କହୁଛି ଯେ ରାଜ୍ୟରେ ବାର୍ଷିକ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ ମାଛ ଖିଆଯାଉଛି। ସେହିପରି ରାଜ୍ୟରେ ବାର୍ଷିକ ୧୬୪ ହଜାର ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେଉଥିବା ବେଳେ ୪୧ ହଜାର ୯୩ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି।

ଅନ୍ୟପଟେ ରାଜ୍ୟରେ ଛେଳି ପାଳନ ଓ ଆମଦାନୀକୁ ନେଇ ମଧ୍ୟ ମନ୍ତ୍ରୀ ସ୍ପଷ୍ଟ ଚିତ୍ର ରଖିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ମୋଟ ୬୩ ଲକ୍ଷ ୯୪ ହଜାର ଛେଳି ପାଳନ କରାଯାଉଛି ଏବଂ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟରୁ କୌଣସି ଛେଳି ଆମଦାନୀ ହେଉନାହିଁ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଛାଡ଼ଖାଇ ଭଳି ପର୍ବ ସମୟରେ ଆମିଷ ଦୋକାନରେ ପ୍ରବଳ ଭିଡ଼ ଜମୁଥିବା ବେଳେ ବିଧାନସଭାର ଏହି ପରିସଂଖ୍ୟାନ ରାଜ୍ୟର ଆମିଷ ଅର୍ଥନୀତିର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *