ଭୁବନେଶ୍ୱର ଉପକଣ୍ଠରେ ଜଙ୍ଗଲ ଜମି ଜବରଦଖଲ, ଗଛ କଟା ଏବଂ ପରିବେଶ କ୍ଷତି ଅଭିଯୋଗ ମାମଲାରେ ଜାତୀୟ ହରିତ ପ୍ରାଧିକରଣ (NGT) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୱଣ୍ଡରଲା ହଲିଡେଜ୍ ଲିମିଟେଡ୍‌ ଦ୍ୱାରା ବିବାଦୀୟ ଜଙ୍ଗଲ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇବା ସହିତ ଏହି ଆଦେଶର ଅନୁପାଳନ ସୁନିଶ୍ଚିତ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଟ୍ରିବ୍ୟୁନାଲଙ୍କ ଆଦେଶର ପାଳନ ଓ କମ୍ପାନୀ ଯେଭଳି ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ନ କରେ, ତାହା ସୁନିଶ୍ଚିତ କରିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ପୂର୍ବରୁ ରାଜ୍ୟ ସରକାର, କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ସଚିବ, ପ୍ରଦୂଷଣ ବୋର୍ଡଙ୍କ ସମେତ ୧୨ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା । ପରିବେଶ କର୍ମୀ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏନଜିଟିର କୋଲକାତାସ୍ଥିତ ପୂର୍ବାଞ୍ଚଳ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଖଣ୍ଡ ଏନ୍‌ଜିଟିରେ ଯୁକ୍ତି କରିଥିଲେ ଯେ, ୱଣ୍ଡରଲା ହଲିଡେଜ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତ ମୌଜାରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରି ସେଠାରେ ଅନୁମତି ବିନା ନିର୍ମାଣ କରିଛି। ତେଣୁ ଉକ୍ତ ଜମିରେ ଆଉ କୌଣସି ନିର୍ମାଣ ନକରିବା ପାଇଁ କମ୍ପାନୀ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସେ ନିବେଦନ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତ ମୌଜାର ଖାତା ନମ୍ବର ୬୮୭ ଓ ପ୍ଲଟ୍ ନମ୍ବର ୮୩୪ରେ ଥିବା ୧ ଏକର ୮୬ ଡେସିମିଲ ଜମିକୁ ନେଇ ଏହି ବିବାଦ ହୋଇଛି। ଏହା ଜଙ୍ଗଲ ଭାବେ ରେକର୍ଡଭୁକ୍ତ। ଅଭିଯୋଗ ଅନୁଯାୟୀ, ଏହି ଜମିକୁ ୱଣ୍ଡରଲା କମ୍ପାନୀ ନିଜ ପ୍ରକଳ୍ପ ଅଞ୍ଚଳ ଭିତରେ ରଖି ସେଠାରେ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ଓ ଅନ୍ୟାନ୍ୟ ନିର୍ମାଣ କରିଛି।

ଏହି ମାମଲାରେ ଏନ୍‌ଜିଟିଙ୍କ ନିର୍ଦ୍ଦେଶରେ ଗଠିତ ଯୁଗ୍ମ ତଦନ୍ତ କମିଟି ଗତ ଜୁଲାଇ ୧୮ ତାରିଖରେ ଘଟଣାସ୍ଥଳ ଯାଞ୍ଚ କରିଥିଲା। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କମିଟିର ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ ଓଣ୍ଡରଲା ଅଧିକ ୧ ଏକର ୮୬ ଡେସିମିଲ ଜଙ୍ଗଲ ଜମି ମାଡିବସିଛି । ଜଙ୍ଗଲ ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମତି ନିଆଯାଇନାହିଁ । ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଅଧିକାରୀମାନେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ସରକାରୀ ରେକର୍ଡ ଅନୁଯାୟୀ, ଏହି ଜମି ୱଣ୍ଡରଲା କମ୍ପାନୀକୁ ଦିଆଯାଇନାହିଁ।

ସମସ୍ତ ତଥ୍ୟ ଓ ରିପୋର୍ଟ ଯାଞ୍ଚ କରିବା ପରେ ଏନ୍‌ଜିଟି କହିଛନ୍ତି ଯେ, ଆବେଦନକାରୀଙ୍କ ଅଭିଯୋଗରେ ପ୍ରାଥମିକ ଭାବେ ଯଥେଷ୍ଟ ଆଧାର ରହିଛି। ଏହି ଜମିରେ ଆଉ ନିର୍ମାଣ ହେଲେ ପରିବେଶର କ୍ଷତି ହେବାର ଆଶଙ୍କା ଥିବାରୁ ଅନ୍ତରୀଣ ସୁରକ୍ଷା ଦେବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ଏହାପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଆଇନ, ୨୦୧୦ର ଧାରା ୨୦ରେ ଥିବା ସତର୍କତାମୂଳକ ନୀତିକୁ ଆଧାର କରି ଟ୍ରିବ୍ୟୁନାଲ ୱଣ୍ଡରଲା କମ୍ପାନୀକୁ ବିବାଦୀୟ ଜବରଜଖଲରେ ଥିବା ଜଙ୍ଗଲ ଜମିରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଉ କୌଣସି ନିର୍ମାଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ଅନୁପାଳନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *