କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଏବେ ଛାତ୍ର ନିର୍ବାଚନକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଏବଂ ହେରଫେର ହୋଇଥିବା ଅଭିଯୋଗ ଆଣି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀମାନେ କଲେଜ ଆଗରେ ଧାରଣାରେ ବସିଛନ୍ତି। କଲେଜ ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ପୁନଃ ଭୋଟ ଗଣନା ଦାବିରେ କ୍ୟାମ୍ପସ ଭିତରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସ୍ୱାକ୍ଷରରେ ପ୍ରକାଶିତ ଏକ ଜରୁରୀ ବିଜ୍ଞପ୍ତି ଜରିଆରେ ନବନିର୍ବାଚିତ ଛାତ୍ରସଂସଦ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ବା ସ୍ଥଗିତ ରଖାଯାଇଛି।

କଲେଜ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ ଅପରିହାର୍ଯ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ, ଜାଲିଆତିର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସମସ୍ତ ଭୋଟର ପୁନଃ ଗଣନା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଜିଦ୍‌ରେ ଅଟଳ ଅଛନ୍ତି ଅସନ୍ତୁଷ୍ଟ ଛାତ୍ରନେତା ଓ ବିଦ୍ୟାର୍ଥୀମାନେ।

 

Leave a Reply

Your email address will not be published. Required fields are marked *