ଐତିହାସିକ କଟକ ବାଲିଯାତ୍ରାରେ ରବିବାର ପ୍ରବଳ ଜନସମାଗମ ଓ ଭିଡ଼ ଆଶଙ୍କା କରି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି। ଶନିବାର ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳିଥିବା ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଆଜିର ଯାତ୍ରା ଓ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ଦର୍ଶକମାନେ ଭିଡ଼ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି ମାନିବା ସହ ପଡ଼ିଆରେ ନିୟୋଜିତ ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରମୁଖ ନିର୍ଦ୍ଦେଶାବଳୀ ଅନୁଯାୟୀ;

ମେଳା ପଡ଼ିଆ ଭିତରେ ଓ ବାହାରେ ଲୋକଙ୍କ ଯାତାୟାତକୁ ସହଜ ଏବଂ ସୁରକ୍ଷିତ କରିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଲଗା ଅଲଗା କରାଯାଇଛି। ନିର୍ଦ୍ଧାରିତ ରାସ୍ତାରେ ଶୃଙ୍ଖଳାର ସହ ଚଳପ୍ରଚଳ କରିବାକୁ କୁହାଯାଇଥିବା ବେଳେ, ଫେରିବା ସମୟରେ ଅଯଥା ଠେଲାପେଲା ଓ ଭିଡ଼ ଏଡ଼ାଇବା ପାଇଁ ପଛ ଗେଟ୍ ବ୍ୟବହାର କରିବାକୁ ବିଶେଷ ପରାମର୍ଶ ଦିଆଯାଇଛି। ବିଶେଷ କରି ସନ୍ଧ୍ୟା ପରଠାରୁ ଭିଡ଼ ବଢ଼ୁଥିବା ସମୟରେ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଗହଳି ନ କରି ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସରଣ କରିବାକୁ ପ୍ରଶାସନ ଅପିଲ୍ କରିଛି।

​ସହର ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶକଙ୍କ ଗାଡ଼ି ପାଇଁ ଛତାଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବାହାର ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ସିଧାସଳଖ ମେଳା ପଡ଼ିଆ ନିକଟକୁ ଗାଡ଼ି ନ ଆଣି ଛତାରେ ରଖିବାକୁ କୁହାଯାଇଛି। ସେଠାରୁ ବାଲିଯାତ୍ରା ପଡ଼ିଆକୁ ଯିବାଆସିବା ପାଇଁ ପ୍ରାୟ ୭୦ଟି ବସ୍‌ର ସୁବିଧା ରହିଛି, ଯାହାର ସଦୁପଯୋଗ କରିବାକୁ ଦର୍ଶକଙ୍କୁ ଅନୁରୋଧ କରାଯାଇଛି। ଏଥିଯୋଗୁଁ ମେଳା ଆଖପାଖରେ ଟ୍ରାଫିକ୍ ଜାମ୍ କମିବା ସହ ବାହାରୁ ଆସୁଥିବା ଲୋକଙ୍କ ଯାତ୍ରା ସୁଗମ ହେବ ବୋଲି ପ୍ରଶାସନ ଆଶା ରଖିଛି।

​ମେଳା ବୁଲିବାକୁ ଆସି କୌଣସି ପ୍ରକାର ଅସୁବିଧା ବା ଜରୁରୀ ପରିସ୍ଥିତିରେ ପଡ଼ିଲେ ତୁରନ୍ତ ସହାୟତା ପାଇଁ ବୈଷ୍ଣବ ପାଣି ମଞ୍ଚ ନିକଟରେ ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଦର୍ଶକମାନେ ନିଃସଙ୍କୋଚରେ ଏହି କଣ୍ଟ୍ରୋଲ୍ ରୁମ୍ ସହ ଯୋଗାଯୋଗ କରି ସହାୟତା ନେଇପାରିବେ। ସମସ୍ତେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ବାଲିଯାତ୍ରାର ଆନନ୍ଦ ଉଠାଇବା ପାଇଁ ପ୍ରଶାସନର ଏହି ମାର୍ଗଦର୍ଶିକାକୁ ମାନି ଚଳିବାକୁ ପୁଣି ଥରେ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *