ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ଡିଜିଟାଲ୍ ହେଲ୍‌ଥ ଆପ୍‌ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଆପ୍‌ ମାଧ୍ୟମରେ ଡିଜିଟାଲ୍/ଇଲେକ୍ଟ୍ରୋନିକ୍ ପ୍ରେସ୍କ୍ରିପସନ୍‌କୁ ପ୍ରୋତ୍ସାହିତ କରାଯିବା ସହ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବାକୁ ଅଧିକ ସହଜ ଓ ସୁଗମ କରାଯିବ।

ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ‘ୱାନ୍ ନେସନ୍, ୱାନ୍ ହେଲ୍‌ଥ’ ଦୂରଦୃଷ୍ଟିକୁ ଆଗେଇ ନେବା ପାଇଁ ରାଜ୍ୟରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି। ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସହଜ ଓ ସମନ୍ୱିତ ହୋଇପାରିବ।

ପ୍ରସ୍ତାବିତ ଏହି ଆପ୍ ଡାକ୍ତରମାନଙ୍କୁ ଡିଜିଟାଲ୍ ପ୍ରେସ୍କ୍ରିପସନ୍ ଦେବାକୁ ଉତ୍ସାହିତ କରିବ। ଏହାଦ୍ୱାରା ରୋଗୀଙ୍କୁ ଦିଆଯାଉଥିବା ଔଷଧର ଏକ ଇଲେକ୍ଟ୍ରୋନିକ୍ ରେକର୍ଡ ରହିବ।

ଏହି ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ନଜର ରଖିବା। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଡାକ୍ତରମାନେ ପ୍ରେସ୍କ୍ରାଇବ୍ କରୁଥିବା ଆଣ୍ଟିବାୟୋଟିକ୍ ସମେତ ସମସ୍ତ ଔଷଧର ତଥ୍ୟ ଡିଜିଟାଲ୍ ଭାବେ ରେକର୍ଡ ହେବ। ଏହାଦ୍ୱାରା ଅନାବଶ୍ୟକ ଆଣ୍ଟିବାୟୋଟିକ୍ ବ୍ୟବହାରକୁ ଚିହ୍ନଟ କରାଯାଇ ଏହାର ସଂଯମ ଓ ସଠିକ୍ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇପାରିବ।

ସେ ଆଉ ମଧ୍ୟ କହିଛନ୍ତି

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ABDM) ଅଧୀନରେ ନ୍ୟାସନାଲ୍ ହେଲ୍‌ଥ ଅଥରିଟି ଦ୍ୱାରା ଆରୋଗ୍ୟ ସେତୁ ୨.୦ଲଞ୍ଚ୍ କରାଯାଇଛି। ଏଥିରେ ‘ସ୍କାନ୍ ଆଣ୍ଡ୍ ସେୟାର୍’ (Scan and Share) ଭଳି ଅନେକ ସୁବିଧା ରହିଛି।

​ଡିଜିଟାଲ୍ ଲକର୍ ମାଧ୍ୟମରେ ରୋଗୀ ଓ ସେମାନଙ୍କ ପରିବାର ନିଜର ପ୍ରେସ୍କ୍ରିପସନ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ ରେକର୍ଡକୁ ସୁରକ୍ଷିତ ରଖିପାରିବେ, ଯାହା ଭବିଷ୍ୟତ ଚିକିତ୍ସା ପାଇଁ ସହାୟକ ହେବ।

 

 

Leave a Reply

Your email address will not be published. Required fields are marked *