ରାଜ୍ୟର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ ୫୦ ଦିନରେ ପହଞ୍ଚିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ଟାଟା ପାୱାର ଓ ସରକାରଙ୍କ ସମ୍ପର୍କକୁ ନେଇ ସିଧା ପ୍ରହାର କରିଛି ବିଜେଡି ।ରାଜ୍ୟର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ନ୍ୟାୟସଙ୍ଗତ ଦାବିକୁ ଅଣଦେଖା କରୁଥିବା ବିଜେପି ସରକାର ଓ ଟାଟା ପାୱାରକୁ କଡା ସମାଲୋଚନା କରିଛି ବିଜେଡି । ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଗାନ୍ଧୀ ମାର୍ଗରେ ଦୀର୍ଘ ୫୦ ଦିନ ଧରି ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଅନଶନ ଓ ପ୍ରତିବାଦ ଜାରି ରଖିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରୁନାହିଁ। ଚାକିରି ସୁରକ୍ଷା, ବହିଷ୍କୃତ କର୍ମଚାରୀଙ୍କ ପୁନଃନିଯୁକ୍ତି, ସମାନ କାମ ପାଇଁ ସମାନ ପାରିଶ୍ରମିକ ଏବଂ ଚୁକ୍ତିଭିତ୍ତିକ ବ୍ୟବସ୍ଥାର ଉଚ୍ଛେଦ ଭଳି ଦାବି ନେଇ ଶ୍ରମିକମାନେ ରାସ୍ତାରେ ବସିଛନ୍ତି। ଏଭଳି ପରିସ୍ଥିତିରେ ଭୁବନେଶ୍ୱର ଓ ପିପିଲି ଅଞ୍ଚଳରେ କେତେକ କର୍ମଚାରୀ ଉଚ୍ଚ ଭୋଲ୍ଟେଜ୍ ଟାୱାର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଚରମ ପଦକ୍ଷେପ ନେବା ଘଟଣା ସମଗ୍ର ରାଜ୍ୟରେ ଉଦ୍ବେଗ ସୃଷ୍ଟି କରିଛି। ଏହାକୁ ବିଜେଡି ସରକାରଙ୍କ ଅପାରଗତା ଏବଂ ଟାଟା ପାୱାରର ଦାୟିତ୍ୱହୀନତାର ପ୍ରତିଫଳନ ବୋଲି ଦର୍ଶାଇଛି। ସେ ଆଉ ମଧ୍ୟ କହିଛନ୍ତି ବିଜେପି ସରକାର ଏବଂ ଟାଟା ପାୱାରଙ୍କ ଅଭିସନ୍ଧିମୂଳକ କର୍ମଚାରୀ ମାରଣ ନୀତି ଲାଗି ଆଜି ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସଂକଟ ଦେଖାଦେଇଛି । ଜୁନ୍ ୨୦୨୪ରୁ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ସରକାରୀ ବଜେଟ୍ ସହାୟତା ଓ ବିଭିନ୍ନ ସୁବିଧା ଦେଇ ଟାଟା ପାୱାରକୁ ପୃଷ୍ଠପୋଷକତା ଦିଆଯାଉଥିବା ବେଳେ, ସାଧାରଣ ଶ୍ରମିକଙ୍କ ମୌଳିକ ଅଧିକାର ଓ ଦାବିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯିବା ଦୁର୍ଭାଗ୍ୟଜନକ । ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ ନିଜର ରିପୋର୍ଟ ଓ ନିଜଆଡୁ କରିଥିବା ମାମଲାରେ ଟାଟା ପାୱାର ପରିଚାଳିତ ବିତରଣ କମ୍ପାନୀ ଗୁଡିକର ବିଫଳତାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ସେବା ମାନଦଣ୍ଡ ପାଳନ ନ କରିବା, ଅନଧିକୃତ ଚାର୍ଜ ଆଦାୟ, ନବୀକରଣ ଓ ଗ୍ରାହକ ସେବାରେ ବିଫଳତା ଇତ୍ୟାଦି ବିଷୟରେ ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ ଚିନ୍ତାପ୍ରକଟ କରିଥିଲା ବେଳେ ସରକାର ନିଦା ବିଷ୍ଣୁ ହୋଇ ଟାଟା ପାୱାରକୁ ସୁରକ୍ଷା ଦେଉଛନ୍ତି । ଶ୍ରମିକମାନଙ୍କ ଦାବି ତୁରନ୍ତ ପୂରଣ କରିବା, ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା, ସରକାର ଓ ଟାଟା ପାୱାର ମଧ୍ୟରେ ହୋଇଥିବା ବଜେଟ୍ ସହାୟତା ଓ ସମ୍ପର୍କର ନିରପେକ୍ଷ ତଦନ୍ତ କରିବା ଏବଂ ଓଇଆରସି ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି। ଯଦି ସରକାର ଏହି ଦାବିଗୁଡ଼ିକୁ ଅଣଦେଖା କରନ୍ତି, ତେବେ ଆଗାମୀ ଦିନରେ ଶ୍ରମିକମାନଙ୍କ ହକ୍ ପାଇଁ ବିଜେଡି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରିବ ବୋଲି ସ୍ପଷ୍ଟ ଚେତାବନୀ ଦେଇଛି। Post navigation ICMR-NIN Survey: ଓଡ଼ିଶାର ୫୦%ରୁ ଅଧିକ ମହିଳା ରକ୍ତହୀନତାର ଶିକାର