ସରକାରୀ ସୂଚନା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସୂଚନା ସେବା ଅଫିସରମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆପଣାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କନଭେନସନ ସେଣ୍ଟରରେ ଆୟୋଜିତ ‘ସୋସିଆଲ ମିଡିଆର ଉଦ୍ଦୀୟମାନ ଧାରା’ ଶୀର୍ଷକ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୂଚନା ଅଧିକାରୀମାନେ କେବଳ ପ୍ରେସ୍ ବିଜ୍ଞପ୍ତି ଜାରି କରିବାରେ ନିଜକୁ ସୀମିତ ନରଖି, ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସଫଳ ଯୋଗସୂତ୍ର ସାଜିବା ଆବଶ୍ୟକ। ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡିଆରେ ଅଗ୍ରଣୀ ହେବା ସହ କଣ୍ଟେଣ୍ଟ ଉପରେ ଗୁରୁତ୍ୱ ଦେଇ ସକାରାତ୍ମକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ସୂଚନା ଆଦାନପ୍ରଦାନକୁ ସହଜ ଓ ବ୍ୟାପକ କରିବା ପାଇଁ AI ଏବଂ ChatGPT ଭଳି ସ୍ମାର୍ଟ ଟେକ୍ନୋଲୋଜିର ସଦୁପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ଏହି ଆଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପୂର୍ଣ୍ଣ ଦାୟିତ୍ୱବାନ ଭାବେ ଏବଂ ଜନକଲ୍ୟାଣ ଉଦ୍ଦେଶ୍ୟରେ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ଭାବନା ଓ ଆବଶ୍ୟକତାକୁ ଶୁଣି ସରକାରୀ ଯୋଜନାଗୁଡ଼ିକୁ ଅଧିକ ମଜବୁତ୍ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତପୋଷଣ କରିଛନ୍ତି। ବିଶେଷ କରି ତୃଣମୂଳ ସ୍ତରରେ ଲୋକେ କିପରି ସରକାରୀ ସୁବିଧାର ସିଧାସଳଖ ଲାଭ ପାଇପାରିବେ, ସେଥିପାଇଁ ସୂଚନା ପ୍ରସାରଣକୁ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ, ‘ସୁଭଦ୍ରା ଯୋଜନା’ ଜରିଆରେ ମହିଳା ସଶକ୍ତୀକରଣକୁ ଆଗକୁ ନେବା ଏବଂ ରାଜ୍ୟରେ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ଓଡ଼ିଶା ଯେପରି ଅଗ୍ରଣୀ ଭୂମିକା ଗ୍ରହଣ କରିବ, ସେ ନେଇ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। Post navigation Puri Development: ‘ଅବଢ଼ା’ ଭଳି ପୁରୀ ପାଇଁ ଆଉ ଏକ ନୂଆ ଯୋଜନା: ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ Navi Pillay Wins Nobel Peace Prize 2026