ପ୍ରାଚୀନ କାଳରେ କଳିଙ୍ଗର ସାଧବ ପୁଅମାନେ ବୋଇତ ଧରି ସମୁଦ୍ର ପାର ହୋଇ ଦୂର ଦୂରାନ୍ତର ଦେଶ ସହ ବାଣିଜ୍ୟ ଓ ସଂସ୍କୃତିର ସେତୁ ଯୋଡ଼ିଥିଲେ। ଆଜି ସେହି ଐତିହାସିକ ପୃଷ୍ଠଭୂମିକୁ ଆଧୁନିକ ପର୍ଯ୍ୟଟନ ଓ କୂଟନୀତି ସହ ଯୋଡ଼ିବା ପାଇଁ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ନୂଆ ସମ୍ଭାବନାର ଦ୍ୱାର ଖୋଲିଛି।

ଓଡ଼ିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ଦୀର୍ଘଦିନର ଐତିହାସିକ, ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରି, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମାନନୀୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବାଲିଠାରେ ଇଣ୍ଡୋନେସିଆର ‘ଇନଜର୍ଣ୍ଣି ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ’ର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏବଂ ବାଲି ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଓଡ଼ିଶାର ଲକ୍ଷ୍ୟ ସମ୍ପର୍କରେ ଅବଗତ କରିଛନ୍ତି ।

ଏହି ବୈଠକରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ନୂତନ ସମ୍ଭାବନା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଓଡ଼ିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ନୌବାଣିଜ୍ୟ ଓ ସଭ୍ୟତାଗତ ସମ୍ପର୍କକୁ ଆଧାର କରି ପର୍ଯ୍ୟଟନ ପ୍ରଚାରପ୍ରସାର, ସାଂସ୍କୃତିକ ଆଦାନପ୍ରଦାନ, ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସହଭାଗିତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ଚିହ୍ନଟ କରିବା ଉପରେ ଏହି ଆଲୋଚନା କେନ୍ଦ୍ରିତ ଥିଲା ।

ଏହି ବୈଠକରେ ‘ଦି ନୁସା ଦୁଆ’ର କମର୍ସିଆଲ ଓ ରିଲେସନ୍ସ ଉପସଭାପତି ସୁଶ୍ରୀ ମାଡେ ପୂର୍ଣ୍ଣମା ଦମୟନ୍ତୀ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡଃ ବିଜୟ କେତନ ଉପାଧ୍ୟାୟଙ୍କ ସମେତ ଇଣ୍ଡୋନେସିଆ ଓ ଓଡ଼ିଶାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ବାଲିର ‘ଦି ମେରୁ ସାନୁର’ ସ୍ଥିତ ବାଲି ବିଚ୍ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା ‘ଓଡ଼ିଶା ପରବ ୨୦୨୬’ ପରିପ୍ରେକ୍ଷୀରେ ଏହି ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି ।

ଐତିହାସିକ ବାଲିଯାତ୍ରାର ପରମ୍ପରାରୁ ଅନୁପ୍ରାଣିତ ଏହି ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ପ୍ରାଚୀନ କଳିଙ୍ଗ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସାମୁଦ୍ରିକ ସମ୍ପର୍କକୁ ସ୍ମରଣ କରିବା ସହ ଅନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ସ୍ଥଳୀ ଏବଂ ଆଧୁନିକ ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ମାନ୍ୟବର ଉପୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି।

‘ଓଡ଼ିଶା ପରବ’ରେ ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ରନ୍ଧନ ପରମ୍ପରାର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ । ଏଥିରେ ମହିଳା ନେତୃତ୍ୱାଧୀନ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଦ୍ୱାରା ପଟ୍ଟଚିତ୍ର ଏବଂ ତାଳପତ୍ର ଖୋଦେଇ କଳାର ସିଧାସଳଖ ପ୍ରଦର୍ଶନ କରାଯିବ । ଓଡ଼ିଶା ପର୍ଯ୍ୟଟନ ପାଭିଲିୟନରେ ରାଜ୍ୟର ବିବିଧ ପର୍ଯ୍ୟଟନ ଆକର୍ଷଣ ଯଥା, ଐତିହ୍ୟ ସ୍ଥଳୀ, ଆଧ୍ୟାତ୍ମିକ କ୍ଷେତ୍ର, ମନୋରମ ବେଳାଭୂମି, ବନ୍ୟପ୍ରାଣୀ, ଦୁଃସାହସିକ ପର୍ଯ୍ୟଟନ ଏବଂ ଇକୋ-ଟୁରିଜିମ୍ ଅନୁଭୂତିକୁ ଉପସ୍ଥାପନ କରାଯିବ ।

ଏହାସହ ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ଅନନ୍ୟ ସ୍ୱାଦ ଓ ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ପରିବେଷଣ କରାଯିବ ।

ଇଣ୍ଡୋନେସିଆର ପର୍ଯ୍ୟଟନ ଅଂଶୀଦାରମାନଙ୍କ ସହ ଏହି ଉତ୍ସବ ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟକୁ ଅର୍ଥପୂର୍ଣ୍ଣ ଆଧୁନିକ ସହଭାଗିତାରେ ପରିଣତ କରିବା ସହ ପର୍ଯ୍ୟଟନ ପ୍ରଚାର, ପୁଞ୍ଜିନିବେଶ ଏବଂ ଜନସାଧାରଣଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ନୂତନ ପଥ ଉନ୍ମୁକ୍ତ କରିବାର ପ୍ରୟାସକୁ ପ୍ରତିଫଳିତ କରୁଛି ।

‘ଓଡ଼ିଶା ପରବ’ ଭଳି ପଦକ୍ଷେପ ମାଧ୍ୟମରେ ରାଜ୍ୟ ସରକାର ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପର୍ଯ୍ୟଟନର ପ୍ରସାର କରିବା ସହ ଓଡ଼ିଶା ସହିତ ଗଭୀର ସାଂସ୍କୃତିକ ସମ୍ପର୍କ ଥିବା ଦେଶଗୁଡ଼ିକ ସହ ଦୀର୍ଘସ୍ଥାୟୀ ସହଭାଗିତା ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *