ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ OUAT କୃଷି ଶିକ୍ଷା ସଦନଠାରେ ଏକ ବିରାଟ ସାଧାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ରାଜ୍ୟର ୬୨ଟି ସହର ଓ ସହରାଞ୍ଚଳ ପାଇଁ ମୋଟ ୫୯୩ଟି ନଗର ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ୫୯୩ଟି ପ୍ରକଳ୍ପ ମଧ୍ୟରୁ ୧୦୨ କୋଟି ଟଙ୍କାର ୪୨୩ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ସେହିପରି ୨୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୭୦ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ପାଇଁ ମୋଟ ୩୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାର ଅର୍ବାନ ଓଡ଼ିଶା (ସହରାଞ୍ଚଳ ବିକାଶ) ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୨୮ଟି ନୂତନ ଅର୍ବାନ ଲୋକାଲ ବଡି (ULB) ପାଇଁ ମୋଟ ୫୬୦ କୋଟି ଟଙ୍କାର ମଞ୍ଜୁରୀ ଘୋଷଣା କରିଛନ୍ତି। ପ୍ରତ୍ୟେକ ULB କୁ ୨୦ କୋଟି ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯିବ, ଯାହା ସେଗୁଡ଼ିକର ମୌଳିକ ଭିତ୍ତିଭୂମି ଓ ବିକାଶ ପ୍ରକଳ୍ପରେ ବ୍ୟବହୃତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଦୁଇଟି ପ୍ରମୁଖ ସହରୀ ପରିକଳ୍ପନା ଉପରେ ଗୁରୁତ୍ୱାରୋପ କରିଛନ୍ତି । କଟକ, ଭୁବନେଶ୍ୱର, ପୁରୀ ଓ ପାରାଦ୍ୱୀପକୁ ମିଶାଇ ‘ଗ୍ରେଟର ଭୁବନେଶ୍ୱର’ ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗ୍ରେଟର ହାଇଦ୍ରାବାଦ ଢାଞ୍ଚାରେ ଏହି ସହରାଞ୍ଚଳ ବିକାଶ ମୋଡେଲ ପ୍ରସ୍ତୁତ କରାଯିବ। ସେହିପରି ପବିତ୍ର ଧାମ ପୁରୀକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସହରାଞ୍ଚଳଗୁଡ଼ିକର ଆଧୁନିକୀକରଣ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। Post navigation Odisha BJP State Executive Meeting: ସେପ୍ଟେମ୍ବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ