ନିର୍ଭୟ ମିଡିଆ: ମନୋଜ କୁମାରଙ୍କ ଫିଲ୍ମରେ ଯେମିତି ଅନ୍ୟ କୌଣସି ନାୟକଙ୍କର ଆବଶ୍ୟକତା ନଥାଏ, ଏବେ ସେମିତି ବିଜୁ ଜନତା ଦଳରେ ଆଉ ତାରକାମାନଙ୍କର ଆବଶ୍ୟକତା ନାହିଁ । କାଟ୍ତି ନାହିଁ । ଭୋଟରମାନଙ୍କୁ ଲୋଭେଇବା ପାଇଁ ସେମାନଙ୍କ ପ୍ରଚାର ଆଉ ଦରକାର କରେ ନାହିଁ ଦଳ । ତେଣୁ ଜଣକ ପରେ ଜଣେ ଓଡ଼ିଆ ଫିଲ୍ମ ଜଗତର ହିରୋ ବିଜଦରୁ ବାହାରି ଯାଉଛନ୍ତି । ସଦ୍ୟତମ ଉଦାହରଣ ହେଲେ ଅରିନ୍ଦମ ରାୟ । ଅରିନ୍ଦମ ବିଜଦ ଛାଡ଼ି ଯୋଗ ଦେଇଛନ୍ତି ଭାଜପାରେ ।

ଅରିନ୍ଦମ ହେଉଛନ୍ତି ବିଜଦ ସଂଗଠନ ସମ୍ପାଦକ ପ୍ରଭାବଶାଳୀ ପ୍ରଣବପ୍ରକାଶ ଦାସ ଓ ବବିଙ୍କ ଭିଣୋଇ । କିଛିଦିନ ହେଲା ସେ ଅସନ୍ତୁଷ୍ଟ ଥିଲେ । ନିଜ ପ୍ରତିକି୍ରୟା ପ୍ରକାଶ କରୁଥିଲେ । କଟକରେ ଯୁବ ଛାତ୍ରଙ୍କୁ ନେଇ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ । ଭାଜପା ନେତାଙ୍କୁ ଭେଟିବା ପରେ ସେ ଦଳ ଛାଡ଼ୁଥିବା ଅନୁମାନ କରାଯାଉଥିଲା । ଶେଷରେ ଦଳ ଛାଡ଼ିଲେ, ଭାଜପାରେ ଯୋଗ ଦେଲେ ।
ଅରିନ୍ଦମ ହେଉଛନ୍ତି ବିଜଦର ରାଜ୍ୟ ସାଧାରଣ ସମ୍ପାଦକ । ନିଜ ଶାଳକ (ସଂଗଠନ ସମ୍ପାଦକ)ଙ୍କ ଜରିଆରେ ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୦୦୯ରୁ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ । ୨୦୧୪ରେ ତାଙ୍କୁ ତାରକା ପ୍ରଚାରକ କରାଯାଇଥିଲା । କଟକ, ତିର୍ତ୍ତୋଲ ଏବଂ କୋରାପୁଟ ନିର୍ବାଚନରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ‘ଆପଣଙ୍କ ମନୋନୀତ ପଦାଧିକାରୀ ହୋଇ ସୁଦ୍ଧା ମୋ କାର୍ଯ୍ୟକୁ ସ୍ୱୀକୃତି ମିଳିଲା ନାହିଁ । ମୁଁ ଆପଣଙ୍କୁ ଭେଟିବା ପାଇଁ ବହୁଥର ଚେଷ୍ଟା କରିଛି । କିନ୍ତୁ ଦୁର୍ଭାଗ୍ୟକୁ ଆପଣଙ୍କୁ ଭେଟିପାରି ନାହିଁ । ସେଥିପାଇଁ ଅନୁଭବ କଲି ଯେ, ଆପଣଙ୍କୁ ଭେଟିବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ । ଦଳରେ ମୋ ସ୍ଥାନ କିଛି ନୁହେଁ । ତେଣୁ ବିଜଦର ସାଧାରଣ ସମ୍ପାଦକ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଆଶା କରୁଛି ମୋ ପରିସ୍ଥିତି ବୁଝିବେ ଏବଂ ମୋ ବିରୋଧରେ ରାଗ ରଖିବେ ନାହିଁ ।’

ରୋଚକ ଇସ୍ତଫାପତ୍ର । ପୂର୍ବରୁ ଅନେକ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ କହିଆସିଛନ୍ତି ଯେ, ଦଳର ସଭାପତି ବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁ ନାହାନ୍ତି । ବହିଷ୍କୃତ ଖନ୍ଦପଡ଼ା ବିଧାୟକ ମଧ୍ୟ ସେହି ଅଭିଯୋଗ କରିଥିଲେ । ଦଳର ସଂଗଠନ ସମ୍ପାଦକଙ୍କ ସମ୍ପର୍କୀୟ ହୋଇ ମଧ୍ୟ ଅରିନ୍ଦମ ସଭାପତିଙ୍କୁ ଭେଟି ନପାରିବା ବିଜଦ ସାମ୍ପ୍ରତିକ ସ୍ଥିତି ଉଜାଗର କରୁଛି । ଅରିନ୍ଦମ ପୁଣି ହେଉଛନ୍ତି ବିଜଦ ସାଧାରଣ ସମ୍ପାଦକ । ମୁଖ୍ୟମନ୍ତ୍ରୀଙ୍କୁ ଦଳର ନେତାମାନଙ୍କଠୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି । ଏହା ସ୍ପଷ୍ଟ ହେଉଛି ବିଭିନ୍ନ ନେତା ଓ ମନ୍ତ୍ରୀଙ୍କ ଅଭିଯୋଗରୁ ।

ଓଡ଼ିଆ ଚଳଚ୍ଚିତ୍ରର ଜଣେ ନାମୀ ହିରୋ ଅନୁଭବ ମହାନ୍ତିଙ୍କୁ ଅଚାନକ ରାଜ୍ୟସଭା ପଠାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କୁ ପୁଣି କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରିଥିଲେ ନବୀନ । କିନ୍ତୁ ତିନିବର୍ଷ ଭିତରେ ତାଙ୍କୁ ସମ୍ପୂର୍ଣ୍ଣ ଦୂରେଇ ଦେଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସାଂସଦ ଅନୁଭବଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ଓଲଟି ତାଙ୍କ ପତ୍ନୀ ବର୍ଷାଙ୍କୁ ଗୁରୁତ୍ୱ ଦିଆଗଲା ।
ସିଦ୍ଧାନ୍ତ ମହାପାତ୍ର ଆଉ ଜଣେ ସଫଳ ହିରୋ । ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲେ ନବୀନ । ସେ ମଧ୍ୟ ଜିଣିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ଫୋପାଡ଼ି ଦିଆଗଲା ଅଳିଆଗଦାକୁ । ବଦଳରେ କଂଗ୍ରେସରୁ ଚନ୍ଦ୍ରଶେଖର ସାହୁଙ୍କୁ ଆଣି ଲୋକସଭା ପ୍ରାର୍ଥୀ କରାଗଲା । ଏବେ ଅନୁଭବ କିମ୍ବା ସିଦ୍ଧାନ୍ତଙ୍କୁ ବିଜଦ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ଅରିନ୍ଦମଙ୍କର ମଧ୍ୟ ସମାନ ଦଶା ।

ପୂର୍ବରୁ ପପୁ ପମ୍ପମ୍ଙ୍କ ଅବସ୍ଥା କ’ଣ ସମସ୍ତେ ଜାଣିଛନ୍ତି । କେବଳ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନାଙ୍କୁ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ପଦ ମିଳିଛି । କିଛି ହିରୋଇନ ପାଇଛନ୍ତି ପଦ ପଦବୀ । କିନ୍ତୁ କେହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁଥିବେ ମନେହେଉ ନାହିଁ ।

ମେଣ୍ଟ ଚର୍ଚ୍ଚା ବନ୍ଦ ହୋଇଆସୁଥିବାବେଳେ ଏବେ ମିଶ୍ରଣ ପର୍ବ ପୁଣି ତେଜିବା ଆରମ୍ଭ କରୁଛି । ଚର୍ଚ୍ଚା ବନ୍ଦ ହୋଇଯିବା ପରେ ବିଜଦ ଶିବିରରେ ବଡ଼ଧରଣର କମ୍ପନକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

“ଆପଣଙ୍କୁ ବହୁଥର ଭେଟିବା ପାଇଁ ଚେଷ୍ଟା କରିଛି, ଦୁର୍ଭାଗ୍ୟକୁ ଭେଟିବାର ସୁଯୋଗ ପାଇନାହିଁ ।”

By Nirvay

Leave a Reply

Your email address will not be published. Required fields are marked *