ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଶୃଙ୍ଖଳିତ ଏବଂ ନିରାପଦ ଯାନବାହାନ ଚଳାଚଳ, ଜନସାଧାରଣ ଓ ପଦଯାତ୍ରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏହି ନିୟମଗୁଡ଼ିକ ଆସନ୍ତା ୧୬ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ରାତି ୨ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହି ସମୟ ମଧ୍ୟରେ ସହରର ପ୍ରମୁଖ ରାସ୍ତା ଯଥା ରସୁଲଗଡ଼ରୁ ଲିଙ୍ଗରାଜ, ବାଣୀବିହାରରୁ ଶିଶୁଭବନ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସପିଟାଲ୍ ଏବଂ ନିଉ ଏୟାରପୋର୍ଟ ଛକ, ଜୟଦେବ ବିହାରରୁ ନନ୍ଦନକାନନ ତଥା ରାଜଭବନ ଛକ, ଏବଂ ସି.ଆର.ପି.ରୁ ପାୱାର ହାଉସ୍ ଛକ ଆଦି ଅଞ୍ଚଳରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ରହିବ ।

ସେହିପରି କଟକ ପଟୁ ଆସୁଥିବା ଭାରୀ ଯାନଗୁଡ଼ିକୁ ସହର ଭିତରକୁ ଛଡ଼ା ନ ଯାଇ ବାହାର ବାଟରେ ପଠାଯିବାର ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିଗୁଡ଼ିକ ପୀଠାପଲ୍ଲୀ/ବାଲିକୁଦା ଦେଇ ବାହାରେ ଜାତୀୟ ରାଜପଥ-୧୬ ଦେଇ ଯାଇପାରିବେ ।

ଏଥି ସହିତ ପୁରୀ ପଟୁ ବରମୁଣ୍ଡା ଆସୁଥିବା ବସ୍‌ଗୁଡ଼ିକ ଲିଙ୍ଗରାଜ ଛକ, ପାଣ୍ଡରା, କେଶୁରା ଓ ହାଇଟେକ୍ ଛକ ଦେଇ ଯାଇପାରିବେ । ସେଠୁପରୁ କଟକ ପଟୁ ଯାଉଥିବା ବସ୍ ଲିଙ୍ଗରାଜ ଛକ ଠାରୁ ବାଇପାସ୍ ରୋଡ୍ ଦେଇ ହାଇଟେକ୍ ଛକ ଓ ଜାତୀୟ ରାଜପଥ ଦେଇ ଯାଇପାରିବେ ।

ଯଦି କେହି ଏହି ନିୟମ ଅମାନ୍ୟ କରନ୍ତି, ତେବେ ପୋଲିସ ଆକ୍ଟ ଅନୁସାରେ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ତେବେ ଏହି କଟକଣା ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ୍ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଗାଡ଼ିଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ପୂଜାକୁ ଆନନ୍ଦ ଏବଂ ସୁରକ୍ଷିତ ଭାବରେ ପାଳନ କରିବା ପାଇଁ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର ନ କରିବା ଏବଂ ଦୁଇଚକିଆ ଯାନରେ ହେଲମେଟ୍ ପିନ୍ଧିବା ଭଳି ଜରୁରୀ ଟ୍ରାଫିକ୍ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।

 

Leave a Reply

Your email address will not be published. Required fields are marked *