ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜରେ ୨୦୨୬-୨୭ ଛାତ୍ର ସଂସଦ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ବାତିଲ କରାଯାଇଥିଲା । ଏହାକୁ ନେଇ କ୍ୟାମ୍ପସରେ ରାଜନୈତିକ ଅଶାନ୍ତି, ଆନ୍ଦୋଳନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଛାତ୍ରଛାତ୍ରୀ, କର୍ମଚାରୀ ଏବଂ କଲେଜର ସୁରକ୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜ ପକ୍ଷରୁ କଲେଜକୁ ସାଇନ ଡାଏ ଘୋଷଣା କରାଯାଇଛି । ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଶନିବାର ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲରେ ରହୁଥିବା ସମସ୍ତ ବୋର୍ଡରଙ୍କୁ ହଷ୍ଟେଲ ଖାଲି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହି ସାଇନ ଡାଏ ଅବଧି ମଧ୍ୟରେ କଲେଜ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ବିନା କୌଣସି ଛାତ୍ରଛାତ୍ରୀ କିମ୍ବା ଅନଧିକୃତ ବ୍ୟକ୍ତି କଲେଜ କ୍ୟାମ୍ପସ କିମ୍ବା ହଷ୍ଟେଲ ପରିସରରେ ପ୍ରବେଶ କରିପାରିବେ ନାହିଁ । ଏହାସହ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କଲେଜର ସମସ୍ତ ଶ୍ରେଣୀଗୃହ ପାଠପଢ଼ା, ପରୀକ୍ଷା ଏବଂ ପାଠ୍ୟକ୍ରମ କାର୍ଯ୍ୟକଳାପ ବନ୍ଦ ରହିବ ବୋଲି ସ୍ପଷ୍ଟ କରାଯାଇଛି । କଲେଜ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଶାନ୍ତିପୂର୍ଣ୍ଣ ଭାବେ କ୍ୟାମ୍ପସ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ଭାବେ ରାଜୀବ ଭତ୍ରା ଓ ସାଧାରଣ ସମ୍ପାଦକ ଭାବେ ନିର୍ମଳ କର୍କରା ପ୍ରାର୍ଥୀ ହୋଇଥିବା ବେଳେ ସେମାନେ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ହେଲେ କଲେଜ ପ୍ରଶାସନ ସେମାନଙ୍କ ନିର୍ବାଚନୀ ଫଳାଫଳକୁ ମାନି ନଥିଲା ଏବଂ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ସିଧାସଳଖ ପ୍ରଶାସନ ଦ୍ୱାରା ନିର୍ବାଚିତ ହେବେ ବୋଲି କହିଥିଲା । ଏହି ପରିପ୍ରେକ୍ଷୀରେ ବିଜେଡି ମିଡିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି ଯେ, ସରକାର ଛାତ୍ରଛାତ୍ରୀ ଓ ଜେନ୍-ଜିଙ୍କୁ ଭୟ କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ଶାସକ ଦଳ ପକ୍ଷରୁ ଭୋଟ ଚୋରି ଓ ପ୍ରାର୍ଥୀ ଚୋରି କରାଯାଉଥିବା ଅଭିଯୋଗ ହେଉଛି । ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ସତ୍ତ୍ୱେ ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜିତିବା କଷ୍ଟକର ବୋଲି ଜାଣିବା ପରେ ସରକାର ଏବେ ପ୍ରଶାସନ ଜରିଆରେ ଛାତ୍ର ସଂସଦର ପଦାଧିକାରୀ ମନୋନୟନ କରିବା ଭଳି ଲଜ୍ଜାଜନକ ବ୍ୟବସ୍ଥା ଆପଣାଇଛନ୍ତି । ହେଲେ ବିଜେପି ଓ ଏହାର ଛାତ୍ର ସଂଗଠନ ଏହା ବୁଝିବା ଉଚିତ ଯେ, ଜେନ୍-ଜି ଏବେ ସେମାନଙ୍କଠାରୁ ଦୂରେଇ ଯାଉଛନ୍ତି । ଯଦି ନିର୍ବାଚନରେ ନିରପେକ୍ଷତା ବଜାୟ ରହେ, ତେବେ ଶାସକ ଦଳ ସମ୍ପୂର୍ଣ୍ଣ ଭାବେ ପରାଜିତ ହେବ ବୋଲି କହିଛନ୍ତି । Post navigation Snake Catcher Dies: ନାଗ ସାପ ସହ ରିଲ୍ସ କରୁଥିବା ବେଳେ ସାପ ଧରାଳିଙ୍କ ମୃତ୍ୟୁ CJP के कई नेता हिरासत में, कॉकरोच जनता पार्टी की कमान अब अजिंक्य शिंदे के हाथ में