ଓଡ଼ିଶା ସରକାର ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଆଇଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ନୂତନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ବିଶେଷ କରି ନବରଙ୍ଗପୁର ଏବଂ ନୂଆପଡ଼ା ଜିଲ୍ଲାର ପ୍ରଶାସନିକ ନେତୃତ୍ୱରେ ପରିବର୍ତ୍ତନ କରାଯାଇ ନୂଆ ଜିଲ୍ଲାପାଳମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ ଅନେକ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ସୋପାଯାଇଛି।

ଏହି ନୂତନ ଅବସ୍ଥାପନା ଅନୁସାରେ, ନବରଙ୍ଗପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଡଃ ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ-ସଚିବ ଅନ୍ୟା ଦାସଙ୍କୁ ନବରଙ୍ଗପୁରର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ମାତୃତ୍ୱ ଛୁଟି ଶେଷ ପରେ ବିଭାଗରେ ଯୋଗ ଦେଇଥିବା ମଧୁସ୍ମିତାଙ୍କୁ ନୂଆପଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଏହା ବ୍ୟତୀତ ପ୍ରଶାସନିକ ସ୍ତରରେ ଅନ୍ୟ କେତେକ ଅଧିକାରୀଙ୍କ ମଧ୍ୟରେ ଅଶ୍ନି ଏ.ଏଲଙ୍କୁ ଭବାନୀପାଟଣାର ଉପ-ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ କସ୍ତୁରୀ ଶାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅନୁ ସଚିବ ଭାବେ ଦାୟିତ୍ୱ ମିଳିଛି। ଏଥି ସହିତ ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଏହି ଅଦଳବଦଳ ଫଳରେ ଜିଲ୍ଲା ସ୍ତରରେ ନୂତନ ପ୍ରଶାସନିକ ଶୈଳୀ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ସଚିବାଳୟ ସ୍ତରରେ ଅଭିଜ୍ଞ ଅଧିକାରୀଙ୍କ ଅଭିଜ୍ଞତାର ଲାଭ ମିଳିପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *