ଆସନ୍ତାକାଲି ବିଭିନ୍ନ ଦାବିରେ ବିରୋଧୀ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା, ନୂତନ MMDR ବିଲ୍ ପ୍ରତ୍ୟାହାର ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ଯୋଗୁଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ବାନ ଦିଆଯାଇଛି।

ଏହାରି ମଧ୍ୟରେ ଓଡ଼ିଶା ବନ୍ଦ ପାଳନ ସମର୍ଥନକୁ ନେଇ ବିଜୁ ଜନତା ଦଳ ନିଜର ଆଭିମୁଖ୍ୟ ବଦଳାଇଛି। ଆସନ୍ତାକାଲି ପାଳନ ହେବାକୁ ଥିବା ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ସ୍ପଷ୍ଟ କରିଛନ୍ତି। ମାତ୍ର ଅଧ ଘଣ୍ଟା ମଧ୍ୟରେ ଦଳ ନିଜର ନିଷ୍ପତ୍ତି ବଦଳାଇଥିବାରୁ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ ହେବାରେ ଲାଗିଛି। ନବୀନ ନିବାସରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଫେରିବା ପରେ ଏ ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେ କହିଛନ୍ତି ଯେ, ଆସନ୍ତାକାଲି ଯେଉଁ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି, ଆମେ ସମସ୍ତେ ତାହାକୁ ସମର୍ଥନ କରିବୁ ନାହିଁ। ଯିଏ ବନ୍ଦ ଡାକରା ଦେଇଛନ୍ତି, ସେମାନେ ନିଷ୍ପତ୍ତି ନେବା ପୂର୍ବରୁ ବିଜେଡିକୁ ପଚାରି ନଥିଲେ। ଦଳ କେବଳ SIR  ଏବଂ ଜ୍ଞାନେଶ୍ୱର କୁମାରଙ୍କ ପ୍ରସଙ୍ଗରେ ହିଁ ସମର୍ଥନ ଜଣାଇବ। ବିଜେଡି କୌଣସି ମେଣ୍ଟରେ ନାହିଁ ଏବଂ ସମଦୂରତା ନୀତି ପାଳନ କରି ନିଜ ଅଲଗା ସ୍ଥିତିରେ ରହିଛି ବୋଲି ସେ ଦୃଢ଼ତା ସହ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ନେଇ ବିଜେଡିର ଆଭିମୁଖ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ବନ୍ଦକୁ ସମର୍ଥନ କରିବା କଥା କହିଥିଲେ ପ୍ରମିଳା ମଲ୍ଲିକ। ହେଲେ କିଛି ସମୟ ପରେ ବନ୍ଦକୁ ନେଇ ତାଙ୍କ ନୂଆ ବୟାନ ସାମ୍ନାକୁ ଆସିଛି। ଏହାକୁ ନେଇ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *