ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣକୁ ଅଧିକ କଡ଼ାକଡ଼ି କରିବା ପାଇଁ ପୋଲିସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ଏସପି, ରେଞ୍ଜ ଆଇଜି ଏବଂ ଡିଆଇଜି ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ସାଧାରଣ ଜନତାଙ୍କୁ ଭଲ ଓ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ଉପରେ ଡିଜିପି ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକଙ୍କ କଥା ଓ ସମସ୍ୟାକୁ ଧୈର୍ଯ୍ୟର ସହିତ ଶୁଣିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ପ୍ରତ୍ୟେକ ମାମଲାର ନିରପେକ୍ଷ ଏବଂ ଶୀଘ୍ର ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟର ସମସ୍ତ ସଂବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୋତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସହ​ ଅପରାଧ ଓ ଅପରାଧୀଙ୍କ ପ୍ରତି ଜିରୋ ଟୋଲେରାନ୍ସ ନୀତି ଆପଣାଇ କଡ଼ା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଏସପିଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *