ହାରୁ ନେତାଙ୍କୁ ଥଇଥାନ କରାଯିବ ଯୋଜନା ବୋର୍ଡରେ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଗତ ୧୨ ବର୍ଷ ହେଲା ରାଜ୍ୟ ଯୋଜନା ବୋର୍ଡର ବୈଠକ ବସିନାହିଁ । ବସିବା କ’ଣ ବା ଜରୁରୀ? ସବୁ ଯୋଜନା ତ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସଚିବ ଫାଇନାଲ କରିଦେଇପାରୁଚନ୍ତି । ତେଣୁ ଏଭଳି ବୋର୍ଡ ଥାଇ କେତେ ବା ନଥାଇ କେତେ । କିନ୍ତୁ ଏଭଳି ଥଇଥାନ କେନ୍ଦ୍ର ଆଉ କିଛି ନାହିଁ ସରକାରଙ୍କ ପାଖରେ ।
ଗଲାଥର ରାଜ୍ୟସଭାରୁ ବିଷ୍ଣୁ ଦାସଙ୍କୁ ଫେରାଇ ଆଣି ଯୋଜନା ବୋର୍ଡର ଉପାଧ୍ୟକ୍ଷ କରିଥିଲେ ସରକାର । ତାଙ୍କୁ ବାଦ ଦେଇ କିଛି ନେତା ଓ ଅଣନେତାଙ୍କୁ ମଧ୍ୟ ଥଇଥାନ କରିଥିଲେ ଏହି ବୋର୍ଡରେ । ଦି’ଜଣ ବିଧାୟକ ବେଦପ୍ରକାଶ ଅଗ୍ରୱାଲ ଓ ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ସ୍ଥାନ ପାଇଥିଲେ । ବେଦୁ ଏବେ ସ୍ୱର୍ଗରେ । ରାସେଶ୍ୱରୀ ହାରିଯାଇଚନ୍ତି । ନୂଆ ସରକାର ଗଢା ହବା ପରେ ଏବେ ମୁଖିଆ ଯୋଜନା ବୋର୍ଡ ପୁନର୍ଗଠନ ସକାଶେ ଯୋଜନା ଆରମ୍ଭ ହେଇଗଲାଣି । ନିରୁତା ହାରୁ ନେତାଙ୍କୁ ବୋର୍ଡରେ ଥଇଥାନ କରାଯିବ । ସେମାନଙ୍କ ଭିତରୁ ଥୋଡେ କ୍ୟାବିନେଟ୍‌ ପାହ୍ୟାର ହେବେ, ଆଉ ଥୋଡେ ହେବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର । ହାରୁ ନେତାଙ୍କୁ ୟାଠୁ ଅଧିକ କ’ଣ ଦିଆଯାଇପାରେ? ନାଲିବତୀ ଲଗା ଗାଡି । ମାସକୁ ଭଲ ଦରମା । ପିଅନ ଓ ସହାୟକ କର୍ମଚାରୀ । ରାଜ୍ୟ ପଛେ ଋଣ ବୋଝରେ ଶଢୁ ।
ଯଉଁମାନଙ୍କ ନାଁ ଭାରି ଚର୍ଚ୍ଚାରେ ସେମାନଙ୍କ ଭିତରେ ଅଛନ୍ତି କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା ଓ ମହେଶ୍ୱର ମହାନ୍ତି । ପ୍ରଥମ ତିନିଜଣ ଲୋକସଭା ପାଇଁ ଲଢି ଭାଜପା ପ୍ରାର୍ଥୀଙ୍କ ପାଖରେ ଚିତ୍‌ପଟାଙ୍ଗ ମାରିଥିଲେ । ୟାଙ୍କ ଭିତରୁ ରବିଙ୍କ ମନ ଭାରି ଖରାପ । ତାଙ୍କୁ ଯିଏ ହରାଇଥିଲା, ସେଇ ପ୍ରତାପ ନନା ଏବେ କେନ୍ଦ୍ରରେ ମନ୍ତ୍ରୀ । ଭାରି ଚର୍ଚ୍ଚାରେ ଅଛନ୍ତି ନନା । ମହେଶ୍ୱର ହାରିବା ପରେ ଏବେ ପୂରା ଚୁପ୍‌ ହେଇଯାଇଚନ୍ତି ।
ମହେଶ୍ୱରଙ୍କୁ ପୂର୍ବରୁ ନବକଳେବର ବିଭାଗରେ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଥିଲା । ଯାହା ତ କଳେବର କଲେ କଲେ, ଏବେ ଯୋଜନା ବୋର୍ଡରେ ତାଙ୍କୁ ଓ ରବିଙ୍କୁ ମିଳିପାରେ କ୍ୟାବିନେଟ୍‌ ପାହ୍ୟା । କଳିକେଶ ଓ ପୁଷ୍ପେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ସନ୍ତୁଷ୍ଟ ହେଇଯାଇପାରନ୍ତି । ଏହାଛଡା ଆହୁରି ବି ଅନେକ ହାରୁ ନେତା ଅଛନ୍ତି, ଯଉଁମାନଙ୍କୁ ଏହି ପୁନର୍ଗଠିତ ବୋର୍ଡରେ ସ୍ଥାନ ମିଳିପାରେ । ଯାହା କଲେ ବି ଯୋଜନା ବୋର୍ଡ ବୈଠକ ବସିବାକୁ ନାହିଁ । ଏମାନେ ବରଂ ବସିବସି ଦରମାପତ୍ର ପାଇ ଖୁସିରେ ପାର୍ଟି କାମରେ ଲାଗିଯାଇପାରନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*