ହିନ୍ଦୀକୁ ନେଇ ବିବାଦରେ ଡେଇଁଲେ ହାସନ|ଶାହା,ସମ୍ରାଟ କି ସୁଲତାନ ଭାଙ୍ଗିପାରିବେନି ପ୍ରତିଶ୍ରୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ର ଭାଷାକୁ ନେଇ ଦେଇଥିବା ବୟାନ ବଡ଼ ରାଜନୈତିକ ଘମାସାନ ସୃଷ୍ଟି କରିଛି । ଏହା ବିରୋଧରେ ସବୁଠୁ କଡ଼ା ସ୍ୱର ଉଠୁଛି ଦକ୍ଷିଣ ଭାରତରୁ । ଏବେ ଦକ୍ଷିଣ ସୁପରଷ୍ଟାର ତଥା ରାଜନେତା କମଲା ହାସନ ଏନେଇ ଟୁଇଟ୍‌ କରିଛନ୍ତି । ସେ ଏକ ଭିଡିଓ ଟୁଇଟ୍‌ କରି କହିଛନ୍ତି ଯେ, ଦେଶର ଗୋଟିଏ ଭାଷାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ । ଯଦି ଏହା ହୁଏ ତେବେ ବଡ଼ ଆନେ୍ଦାଳନ ହେବ ।
ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଶାହା, ସୁଲତାନ କିମ୍ବା ସମ୍ରାଟ ଅଚାନକ ପ୍ରତିଶ୍ରୁତି ଭାଙ୍ଗି ପାରିବେ ନାହିଁ । ୧୯୫୦ରେ ଭାରତର ସମ୍ବିଧାନ ବନିବା ପରେ ଉଲ୍ଲେଖ କରାଯାଇଥିଲା ପ୍ରତି ଅଞ୍ଚଳର ଭାଷା ଓ ସଂସ୍କୃତିକୁ ସମ୍ମାନ ଦିଆଯିବ ଏବଂ ଏହାକୁ ସୁରକ୍ଷିତ ରଖାଯିବ । ଲୋକେ ନିଜ ନିଜ ଭାଷା, ସଂସ୍କୃତି ଓ ପରିଚୟକୁ ହରାଇବାକୁ ଚାହୁଁନାହାଁନ୍ତି । ଭାରତ ଏପରି ଏକ ଦେଶ ଯେଉଁଠାରେ ଲୋକେ ଏକାଠି ବସି ଖାଆନ୍ତି । କାହା ଉପରେ କୌଣସି ବିଷୟକୁ ଜବରଦସ୍ତ ଲଦାଯାଇପାରିବ ନାହିଁ । ସେ କହିଛନ୍ତି କୌଣସି ନୂଆ ଆଇନ୍‌,ଯୋଜନା ଲାଗୁ କରିବା ପୂର୍ବରୁ ଲୋକଙ୍କ ସହ ଆଲୋଚନା କରିବା ଦରକାର । ଜଲିକଟ୍ଟୁକୁ ନେଇ ଯାହା ହୋଇଥିଲା ତାହା କେବଳ ଗୋଟିଏ ପ୍ରଦର୍ଶନ ଥିଲା । ହେଲେ ଭାଷାକୁ ବଞ୍ଚାଇବା ପାଇଁ ଯାହା ହେବ ତାହା ବେଶ ବଡ଼ ହେବ । ଶେଷରେ ସେ ଭିଡିଓରେ କହିଛନ୍ତି ଯେ, ତାମିଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିବାକୁ ଦିଅ, ଦେଶକୁ ସମୃଦ୍ଧ ହେବାକୁ ଦିଅ ।
ସୂଚନାଯୋଗ୍ୟ ଯେ, ହିନ୍ଦୀ ଦିବସ ଅବସରରେ ଗୃହମନ୍ତ୍ରୀ ଶାହା କହିଥିଲେ ଯେ, ହିନ୍ଦୀ ଆମର ରାଷ୍ଟ୍ରଭାଷା । ଆମର ଏଠାରେ ଅନେକ ଭାଷା ପ୍ରଚଳିତ । ତେବେ ଏପରି ଗୋଟିଏ ଭାଷା ହେବା ଦରକାର ଯାହା ଦେଶର ନାମକୁ ଶୀର୍ଷରେ ପହଞ୍ଚାଇବ ଏବଂ ପରିଚୟକୁ ଆଗକୁ ନେବ । ହିନ୍ଦୀ ଭାଷାରେ ଏହି ସବୁ ବିଶେଷତ୍ୱ ରହିଛି । ଶାହାଙ୍କ ଏହି ବୟାନ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଡ଼ା ପ୍ରତିକି୍ରୟା ଆରମ୍ଭ ହୋଇଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*