ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଙ୍ଘନ କରି ଅମୃତ ମଣୋହୀ ଜମି ବିକିଲେ କେମିତି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବଗଲା ଜମି ବିବାଦ ଥମିଗଲା କି? ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଜମି ବିକି୍ର ବାବଦରେ ଚାଞ୍ଚଲ୍ୟକର ତଥ୍ୟ ଲୋକଙ୍କ ସାମ୍ନାକୁ ଆଣିବା ପରେ ଏପର୍ଯ୍ୟନ୍ତ କୌଣସି ପକ୍ଷରୁ କିଛି ସ୍ୱର-ଶବ୍ଦ ନାହିଁ । ଆଇଟିଡିସି ଠାରୁ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ଦାୟିତ୍ୱ ପ୍ରତ୍ୟାହାର କରିନେବା ମୂଳରେ ନବୀନ ସରକାରଙ୍କର ଏହି ଜମି ବିକି୍ର କରିବାର ମନ୍ଦ ଉଦେ୍ଦଶ୍ୟ ରହିଥିବା ଅତି ସ୍ପଷ୍ଟ ହୋଇଯାଇଛି । ଶ୍ରୀ ପାତ୍ରଙ୍କ ତଥ୍ୟ ଓ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଏଣେ ଭାଜପା ମଧ୍ୟ କି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ, ତାହା ମଧ୍ୟ ସ୍ପଷ୍ଟ ହେଉ ନାହିଁ । ଏହା ଭିତରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହା ସରକାରଙ୍କୁ ଭୟଙ୍କର ଅଡ଼ୁଆରେ ପକାଇ ଦେଇପାରେ । ବିଶେଷକରି ପୁରୀ ଜିଲାପାଳ ବଲୱନ୍ତ ସିଂଙ୍କ ବିଭିନ୍ନ ଭୂମିକା ତାଙ୍କୁ ଅଦାଲତକୁ ଟାଣି ନେଇପାରେ ।
ଏପର୍ଯ୍ୟନ୍ତ ଆଲୋଚନାର ବିନ୍ଦୁ ଥିଲା ଯେ, ପୁରୀର ବଳଗନ୍ଦି ମୌଜାର ଯେଉଁ ଜମିକୁ ନେଇ ବିବାଦ, ବିତର୍କ ଏବଂ ରାଜନୈତିକ ଝଡ଼ ଉଠିଛି, ସେହି ଜମିଟି ରାଜସ୍ଥାନର ଜଣେ ବଦାନ୍ୟ ବ୍ୟକ୍ତି କହ୍ନେୟାଲାଲ୍‌ ବୋଗଲା ଦାନ ସୂତ୍ରରେ ଦେଇଥିଲେ । ତାଙ୍କରି ଅର୍ଥରେ ବଗଲା ଧର୍ମଶାଳା ନିର୍ମାଣ କରାଯାଇଥିଲା । ସେ ବଙ୍ଗଳା ସରକାରଙ୍କ ଠାରୁ ଏହି ଜମି କିଣିଥିଲେ ବୋଲି କୁହାଯାଉଛି । କିନ୍ତୁ ଏସଂକ୍ରାନ୍ତ କାଗଜପତ୍ର ଉପଲବ୍ଧ ନୁହେଁ ।
ବଡ଼ ବିତର୍କର ବିନ୍ଦୁ ବର୍ତ୍ତମାନ ହେଉଛି ଯେ, ଏହି ଜମିଟି ଜଗନ୍ନାଥଙ୍କ ସମ୍ପତ୍ତି । ଅମୃତ ମଣୋହୀ ଜମି । ଏହାକୁ ବିକିବାର ଅଧିକାର ଜିଲାପାଳ, ରାଜସ୍ୱ ବିଭାଗ କିମ୍ବା ନଗର ଉନ୍ନୟନ ବିଭାଗର ନାହିଁ । ଏହି ଜମି କିପରି ଜିଲାପାଳଙ୍କ ମାର୍ଫତରେ ମୁ୍ୟନିସିପାଲିଟି ହାତରୁ ରାଜସ୍ୱ ବିଭାଗକୁ ଗଲା? ରାଜସ୍ୱ ବିଭାଗ କିଭଳି ଜିଲାପାଳଙ୍କୁ ବିକି୍ର କରିବାକୁ ଅନୁମତି ଦେଲେ? ଏହା ପୂର୍ବରୁ ସରକାର ୨୦୧୫ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଧ୍ୟାନ କରିଛନ୍ତି କି?
୨୦୧୫ରେ ବିଚାରପତି ଭି.ଗୋପାଳ ଗୌଡ଼ା ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟକୁ ଅସିଦ୍ଧ ଘୋଷଣା କରିଥିଲେ । ୧୯୫୫ ମନ୍ଦିର ଆଇନର ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ଜଗନ୍ନାଥଙ୍କ ଜମି ସିଦ୍ଧ ମଠ ଓ ଅନ୍ୟ କେତେଜଣଙ୍କ ନାମରେ କରିଦିଆ ଯାଇଥିଲା । ଏହାକୁ ହାଇକୋର୍ଟ କାଏମ୍‌ ରଖିଥିଲେ । କିନ୍ତୁ ସୁପି୍ରମକୋର୍ଟ ଏହାକୁ ଅସିଦ୍ଧ ଘୋଷଣା କରି ଓଡ଼ିଶା ଦେବୋତ୍ତୋର ଆଇନ ୧୯୫୧ର ଧାରା ୩(କ)କୁ ଉଚ୍ଛେଦ କରିଦେଇଥିଲେ । ଜଗନ୍ନାଥଙ୍କ ସମ୍ପତ୍ତି କୌଣସିମତେ ବିକି୍ର କରାଯାଇ ପାରିବ ନାହିଁ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଥିଲେ । ଜଗନ୍ନାଥଙ୍କ ଜମିଜମା ସମ୍ପତ୍ତିର ଦାୟିତ୍ୱ ମନ୍ଦିର ପରିଚାଳନା କମିଟି ହାତରେ ନ୍ୟସ୍ତ କରିଥିଲେ । ପ୍ରଭୁ ଜଗନ୍ନାଥ ମହାପ୍ରଭୁ ବିଜେଙ୍କର ସବୁ ସମ୍ପତ୍ତିର ଦାୟିତ୍ୱ ମନ୍ଦିର ପରିଚାଳନା କମିଟିର ବୋଲି ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେଇଥିଲେ ଜଷ୍ଟିସ୍‌ ଗୋପାଳ ଗୌଡ଼ା ।
ଯେଉଁ ଜମି ଉପରେ ବଗଲା ଧର୍ମଶାଳାଟି ଗଢ଼ି ଉଠିଥିଲା, ତାହା ଜଗନ୍ନାଥଙ୍କର ବୋଲି ଖୋଦ୍‌ ଶ୍ରୀଜଗନ୍ନାଥ ଟେମ୍ପଲ୍‌ କାର୍ଯ୍ୟାଳୟ ସ୍ୱୀକାର କରିଛି । ୨୦୧୯ ଫେବୃଆରୀ ୧୧ ତାରିଖରେ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ କମିଟିର ଉପପ୍ରଶାସକ ଏକ ନୋ-ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ଦେଇଥିଲେ ପୁରୀ-କୋଣାର୍କ ଉନ୍ନୟନ ପ୍ରାଧୀକରଣର ପ୍ଲାନିଂ ମେମ୍ବର ଓ ସଚିବଙ୍କୁ । ଏଥିରେ ସେ ଦର୍ଶାଇଛନ୍ତି ଯେ, ସାବିକ୍‌ ରେକର୍ଡ଼ ଅନୁସାରେ ଦାନ୍ଦିମାଳ ସାହିର ଖାତା ନଂ-୧୨ର ୩ଏକର ୧୯୦ ଡିସିମିଲ ଜମିର ମାଲିକ ହେଲେ ଶ୍ରୀଜଗନ୍ନାଥ ମହାପ୍ରଭୁ । ମାର୍ଫତ୍‌ଦାର ହେଲେ ଭଗବାନ ରାମାନୁଜ ଦାସ, ଗୁରୁ ହୟଗ୍ରୀବ ଦାସ । ଏହା ଅମୃତ ମଣୋହୀ ଜମି । ଏଥିରୁ ଜଣାପଡ଼ୁଛି ଯେ, ଏମାର ମଠ ମହନ୍ତଙ୍କ ମାର୍ଫତରେ ଜଗନ୍ନାଥଙ୍କର ଅମୃତ ମଣୋହୀ ଜମିଟି ଥିଲା ।
ଜମିଟି ସାବିକ୍‌ ଖାତାରୁ ହାଲ୍‌ ରେକର୍ଡ଼କୁ ଗଲା କେମିତି? ଜଗନ୍ନାଥଙ୍କର ଅମୃତ ମଣୋହୀ ସମ୍ପତ୍ତି ଲଜିଂ ହାଉସିଂ ଫନ୍ଦ କମିଟିକୁ ହସ୍ତାନ୍ତର କଲା କିଏ? ମୂଳ ୩ ଏକର ୧୯୦ ଡିସିମିଲ ସମ୍ପତ୍ତି ୨ଏକର ୫୭୪ ଡିସିମିଲ ହେଲା କେମିତି? ବାକି ଜମି କିଏ ଖାଇଗଲା?

ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟରେ ଅତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ରେକର୍ଡ଼ ଅଫ୍‌ ରାଇଟ୍ସ ସତ୍ତ୍ୱ ସୃଷ୍ଟି କିମ୍ବା ବିଲୋପ କରେ ନାହିଁ ।
ଲଜିଂ ହାଉସ୍‌ ଫନ୍ଦ କମିଟି ଗଢ଼ାଯାଇଥିଲା ପୁରୀରେ ହୋଟେଲ୍‌ ଏବଂ ଲଜିଂ ପାଇଁ ଅନୁମତି ଦେବା ଲାଗି । ଏହି ସଂସ୍ଥାର ଚେୟାରମ୍ୟାନ୍‌ ଥିଲେ ଜିଲାପାଳ । ଜଗନ୍ନାଥ ସମ୍ପତ୍ତିର ମାଲିକ ଏହି କମିଟି ହୋଇପାରିବ ନାହିଁ । ଦ୍ୱିତୀୟରେ ୨୦୧୮ ନଭେମ୍ବରରେ ସରକାର ଏକ ଆଇନ କରି ଲଜିଂ ହାଉସିଂ କମିଟିକୁ ଭାଙ୍ଗିଦେବା ସହ ଏହା ନିୟନ୍ତ୍ରଣରେ ଥିବା ଜମିଜମାକୁ ମୁ୍ୟନିସିପାଲିଟି ହାତକୁ ହସ୍ତାନ୍ତର କରିଦେଲେ । ଏହାଦ୍ୱାରା ଜଗନ୍ନାଥଙ୍କ ଅମୃତ ମଣୋହୀ ସମ୍ପତ୍ତି ମୁ୍ୟନିସିପାଲିଟିର ହୋଇଗଲା କି? ୨୦୧୫ରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ, ତାହାକୁ ଅବମାନନା କରି ଏହା ମୁ୍ୟନିସିପାଲିଟିର ଜମି ବୋଲି କିଭଳି ଗ୍ରହଣ କରିନେଲେ ସରକାର?
୨୦୧୮ ନଭେମ୍ବରରେ ମୁ୍ୟନିସିପାଲିଟିକୁ ଜମି ହସ୍ତାନ୍ତର ହେଲା ବୋଲି ସରକାର ଧରିଛନ୍ତି । ଯଦି ଜମିଟି ମୁ୍ୟନିସିପାଲିଟିର, ତେବେ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ କମିଟି ଏନ୍‌ଓସି ଦେବାର ଆବଶ୍ୟକତା କାହିଁକି ଉଠିଲା? ୨୦୧୯ ଫେବୃଆରୀରେ ଟେମ୍ପୁଲ କମିଟି ଦେଇଥିବା ଏନ୍‌ଓସିରେ ଅତି ସ୍ପଷ୍ଟ ଶବ୍ଦରେ ଉପପ୍ରଶାସକ ଲେଖିଛନ୍ତି ଯେ, ସବୁ ରେକର୍ଡ଼ ତନଖି କରିବା ପରେ ଜାଣିବାକୁ ପାଇଲି ଯେ, ବଗଲା ଜମି ବୋଲି ଯାହା କୁହାଯାଉଛି, ତାହା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ-ପୁରୀଙ୍କର ସାବିକ୍‌ ରେକର୍ଡ଼ ଅଫ୍‌ ରାଇଟ୍ସରେ ନାମଜାରି ହୋଇଛି । ଏହା ସତ୍ତ୍ୱେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ କେବଳ ପ୍ରସାଦ ଯୋଜନାରେ ନିର୍ମାଣ କରିବା ପାଇଁ ଏନ୍‌ଓସି ଦେଉଛୁ । କିନ୍ତୁ ଏହାଦ୍ୱାରା ପ୍ରଭୁ ଜଗନ୍ନାଥ ମହାପ୍ରଭୁ ବିଜେଙ୍କର ଅଧିକାର, ଟାଇଟଲ୍‌ ଏବଂ ସ୍ୱାର୍ଥରେ କୌଣସି ପ୍ରକାର ଆଞ୍ଚ ଆସିବ ନାହିଁ ।
ଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଜିଲାପାଳ ମୁ୍ୟନିସିପାଲିଟିର ସାମ୍ପ୍ରତିକ କର୍ମକର୍ତ୍ତା ଭାବେ ଦେଲେ ନଗର ଉନ୍ନୟନ ବିଭାଗକୁ । ନଗର ଉନ୍ନୟନ ବିଭାଗ ଜଗନ୍ନାଥଙ୍କ ଜମିକୁ ଟେକିଦେଲେ ରାଜସ୍ୱ ବିଭାଗକୁ । ରାଜସ୍ୱ ବିଭାଗ ଏହି ଜମିକୁ ବିକି୍ର କରିବା ପାଇଁ ଏହାର ଜିଲା ପ୍ରତିନିଧି ଜିଲାପାଳ ବଲୱନ୍ତ ସିଂଙ୍କୁ ଅନୁମତି ଦେଲେ । ଜିଲାପାଳ ହେଉଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ଏହା ହୋଇ ମଧ୍ୟ ଜଗନ୍ନାଥଙ୍କ ଅମୃତ ମଣୋହୀ ସମ୍ପତ୍ତି ଲଜିଂ ମାଲିକଙ୍କୁ ବିକି୍ର କବଲା କରିଦେଲେ । ଏତେ ଅଧିକାର ଜିଲାପାଳଙ୍କୁ ଦେଲା କିଏ? ଆହୁରି ଆଶ୍ଚର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ହେଉଛନ୍ତି ପିକେଡିଏ ମୁଖ୍ୟ । ଲାଗୁଛି ସମସ୍ତେ ମିଳିମିଶି ଜଗନ୍ନାଥଙ୍କ ସମ୍ପତ୍ତି ବିିକିବା ପାଇଁ ଏକ ଭୟଙ୍କର ଚକ୍ରାନ୍ତ କରିସାରିଛନ୍ତି ।
ଏବେ ଭାରତୀୟ ଜନତା ପାର୍ଟି କି ଆଭିମୁଖ୍ୟ ଗ୍ରହଣ କରିବ ଜଣାପଡ଼ୁ ନଥିଲେ ସୁଦ୍ଧା ବେଦାନ୍ତ ସମୟରେ ଅମୃତ ମଣୋହୀ ଜମି ବିକିବା ପାଇଁ ଚେଷ୍ଟା କରି ଯେମିତି ସରକାର ମାଟି କାମୁଡ଼ୁ ଥିଲେ, ଏବେବି ସମାନ ଦୁର୍ଦ୍ଦଶା ଭୋଗିବାକୁ ଯାଉଛନ୍ତି ନବୀନ ସରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*