ଭିସା ନମିଳିବାରୁ ଅଲିମ୍ପିକ୍‌ କୋଟା କାଟିବାକୁ ପାକିସ୍ଥାନର ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଏ ସପ୍ତାହରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ସୁଟିଂ ବିଶ୍ୱକପ୍‌ । ଏଥିରେ ଭାଗ ନେବାକୁ ଥିବା ପାକିସ୍ଥାନ ଦଳକୁ ପ୍ରଥମେ ଭିସା ଦିଆଯାଇଥିଲା । ହେଲେ ପୁଲୱାମା ଘଟଣା ପରେ ଭିସା ନଦେବା ଲାଗି ଭାରତ ସରକାର ସ୍ଥିର କରିଛନ୍ତି । ଭାରତରେ ସୁଟିଂ ବିଶ୍ୱକପ୍‌ରେ ଭାଗ ନେବାକୁ ସୁଯୋଗ ନମିଳିବା ଘଟଣାରେ ପାକିସ୍ଥାନ ଏବେ ଆନ୍ତର୍ଜାତିକ ସୁଟିଂ ସଂଘ ପାଖରେ ଭାରତ ବିରୋଧରେ ଫେରାଦ ହୋଇଛି । ଏକ ଚିଠି ସେମାନେ ଆନ୍ତର୍ଜାତିକ ସୁଟିଂ ସଂଘକୁ ଲେଖି ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପରେ ରାଫିଡ୍‌ ଫାୟାର ପିସ୍ତଲରେ ମିଳିବାକୁ ଥିବା ଦୁଇଟି ଟୋକିଓ ଅଲିମ୍ପିକ୍‌ କୋଟା ଟିକେଟ୍‌ ବଣ୍ଟନ ନକରିବାକୁ କହିଛି । ଏହି ଇଭେଣ୍ଟରେ ପାକିସ୍ଥାନର ଖେଳାଳିମାନେ ଭାଗ ନେବାର ଥିଲା । ଯଦି ପାକିସ୍ଥାନର ଏହି ଦାବିକୁ ଗ୍ରହଣ କରି ବିଶ୍ୱ ସୁଟିଂ ସଂଘ ଦୁଇଟି କୋଟା ଟିକେଟ୍‌ ଓହରାଇ ନିଏ, ତା ହେଲେ ଭାରତ ବଡ଼ କ୍ଷତିରେ ପଡ଼ିବ । କାରଣ ବର୍ତ୍ତମାନର ଫର୍ମକୁ ଦେଖି ଅନୁମାନ ଲଗାଯାଉଛି ଯେ ୧୭ବର୍ଷିୟ ଅନିଷ ଭନୱାଲା ଏଠାରେ ଗୋଟିଏ ଟିକେଟ ନିଶ୍ଚିତ ଦେଶ ପାଇଁ ପାଇଥାନ୍ତେ ।
ଭାରତ ବାସନ୍ଦ ହୋଇପାରେ
ଆଗାମୀ ଇଂଲନ୍ଦ ବିଶ୍ୱକପରେ ଭାରତ ନିଜ ପାକିସ୍ଥାନ ବିପକ୍ଷ ମ୍ୟାଚ ଛାଡି ଦେଉ ବୋଲି ବଡ଼ ଦାବି ହେଉଛି । ବହୁ ପୂର୍ବତନ ଖେଳାଳି ଓ ସାଧାରଣ ଲୋକେ ଏପରି ଦାବି କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ବୁଧବାର ଏହି ଦାବିକୁ ସମର୍ଥନ କରିଛନ୍ତି । ତେବେ ପୂର୍ବତନ ଓପନର ତଥା ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହାନ ଭାରତ ମ୍ୟାଚ ଛାଡିଲେ ବାସନ୍ଦର ଶିକାର ହୋଇପାରେ ବୋଲି ସତର୍କ କରିଛନ୍ତି । ପ୍ରତ୍ୟେକ ଆନ୍ତର୍ଜାତିକ ପ୍ରତିଯୋଗିତାର ନିୟମ ରହିଛି । ଏଥିରେ ବହୁ ଦେଶ ଭାଗ ନେଉଥିବାରୁ ମ୍ୟାଚ ଛାଡିବା ଅବସ୍ଥାରେ ଭାରତ ଉପରେ ନିୟମ ଲଗାଯାଇ ବାସନ୍ଦ କରାଯାଇପାରେ । ୨ରୁ ୩ବର୍ଷ ବାସନ୍ଦ ଭାରତ ଉପରେ ଲାଗିପାରେ ବୋଲି ଚେତନ କହିଛନ୍ତି । ଯଦି ବିଶ୍ୱକପ୍‌ ପାକିସ୍ଥାନରେ ହେଉଥାନ୍ତା ମୁଁ ତୁରନ୍ତ ଭାରତ ନଖେଳିବା ପାଇଁ କହିଥାନ୍ତି । ହେଲେ ଏହା ବିଶ୍ୱକପ୍‌ ଆଉ ଇଂଲନ୍ଦରେ ଆୟୋଜନ ହେଉଛି । ଯାହା ୮ରୁ ୧୦ବର୍ଷ ଆଗରୁ ସ୍ଥିର ହୋଇଥାଏ । ସେଭଳି ଅବସ୍ଥାରେ ଭାରତୀୟ କି୍ରକେଟ ବୋର୍ଡ଼କୁ କେନ୍ଦ୍ର ସରକାର ମାର୍ଗଦର୍ଶନ କରିବା ଉଚିତ ବୋଲି ପୂର୍ବତନ ଓପନର କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*