କୋହଲିଙ୍କ ‘ବିରାଟ’ ଇନିଂସ୍‌: ମଜଭୁତ ସ୍ଥିତିରେ ଭାରତ ଭାଙ୍ଗିଲା ଏକାଧିକ ରେକର୍ଡ- ବିପର୍ଯ୍ୟୟ ମୁହାଁ ଦକ୍ଷିଣ ଆଫ୍ରିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପୁନେ

ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ ଚମକ ଦେଖାଇବା ମାନେ ଦର୍ଶକ ଭରପୂର କ୍ରିକେଟ ମନୋରଞ୍ଜନ ହାସଲ କରିଥାନ୍ତି । ଶୁକ୍ରବାର ଦିନ ଏଠାରେ ସେଭଳି ମନୋରଞ୍ଜନର ଦର୍ଶନ କରିଛନ୍ତିି ଉପସ୍ଥିତ ଥିବା ହଜାର ହଜାର ଦର୍ଶକ । ଅପରାଜିତ ୨୫୪ କରିବା ବାଟରେ କୋହଲିଙ୍କ ଆକର୍ଷଣୀୟ କ୍ରିକେଟ ଭାରତକୁ ଅତ୍ୟନ୍ତ ମଜଭୁତ ସ୍ଥିତିରେ ପହଞ୍ଚାଇ ଦେଇଛି । ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବରେ ସେ ୭ମ ଟେଷ୍ଟ ଡବଲ ସେଞ୍ଚୁରୀ ଲଗାଇବା କାରଣରୁ ଭାରତ ୫ ୱିକେଟରେ ବିଶାଳ ୬୦୧ ରନ୍‌ ପ୍ରଥମ ଇନିଂସରେ କରିବାକୁ ସକ୍ଷମ ହୋଇଥିଲା । ହିମାଳୟ ଭଳି ଭାରତର ରନ୍‌ ଗଦାକୁ ସମତୁଲ ହେବାକୁ ଆଶା ରଖୁଥିବା ଦକ୍ଷିଣ ଆଫ୍ରିକା ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନର ଖେଳ ସରିବା ବେଳେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିଜ ପ୍ରଥମ ଇନିଂସରେ କେବଳ ୩୬ ରନ୍‌ କରିଥିଲା ବେଳେ ୩ ୱିକେଟ ହରାଇ ସାରିଛି । ନିଜ ଟେଷ୍ଟ ଜୀବନର ସର୍ବାଧିକ ସ୍କୋର ଭାବେ ୨୫୪ ରନ୍‌ କୋହଲି କରିବା ସହ ମୟଙ୍କ ପ୍ରଥମ ଦିନରେ ଶତକ ମାରି ଦଳକୁ ଯେଉଁ ଆଡଭାନ୍‌ଟେଜ୍‌ ଦେଇଥିଲେ ତାହାକୁ ବ୍ୟାପ୍ତ କରି ଦେଇଥିଲେ ବିରାଟ । ଶୁକ୍ରବାର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ବିରାଟଙ୍କ ସୋ ବନିଯାଇଥିଲା । ୩ ୱିକେଟରେ ୨୭୩ ରନ୍‌ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା ଭାରତ । ବିରାଟ ଓ ରାହାଣେ ପ୍ରଥମ ଘଣ୍ଟାରେ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତି ମଜଭୁତ କରିବାରେ ଲାଗି ଯାଇଥିଲେ । ଅର୍ଦ୍ଧଶତକ ଅର୍ଜନ କରିବା ପରେ ରାହାଣେ ମହାରାଜଙ୍କ ବଲରେ ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଦୃଢ଼ତାର ସହ ବ୍ୟାଟିଂ କରୁଥିବା ବିରାଟ ୨୬ତମ ଟେଷ୍ଟ ଶତକ କରିସାରିଥିଲେ ପୂର୍ଣ୍ଣ । ୧୫୦ ରନ୍‌ ମଧ୍ୟ ଆକର୍ଷଣୀୟ ଢଙ୍ଗରେ ହାସଲ କରିଥିଲେ ବିରାଟ ଜାଦେଜାଙ୍କ ଉପସ୍ଥିତିରେ । ସେ ମଧ୍ୟ ଦକ୍ଷିଣ ଆଫ୍ରିକାର ଦୁଃଖ ବଢ଼ାଇବାରେ ଦେଇଥିଲେ ଯୋଗଦାନ । ଆକ୍ରମଣାତ୍ମକ ଭଙ୍ଗିରେ ୯୧ ରନ୍‌ ସଂଗ୍ରହ କରିବା ପରେ ସେ ଆଉଟ୍‌ ହୋଇଥିଲେ । ଜାଦେଜା ବିଦାୟ ନେବା ପରେ ଇନିଂସ ଘୋଷଣା କରିଥିଲେ ବିରାଟ । ସେତେବେଳେ ନିଜେ ୨୫୪ ରନ୍‌ କରି ବ୍ୟାଟିଂ କରୁଥିଲେ ।
କେବଳ ଫଲୋଅନ୍‌ ଏଡାଇବାକୁ ୪୦୨ ରନ୍‌ ଦରକାର କରୁଥିବା ଦକ୍ଷିଣ ଆଫ୍ରିକା ଦଳ ମୂଳରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଉମେଶ ଯାଦବ ୨ଟି ୱିକେଟ ଏବଂ ମହମ୍ମଦ ସାମି ଗୋଟିଏ ୱିକେଟ ବାହାର କରି ଦକ୍ଷିଣ ଆଫ୍ରିକାର ଅବସ୍ଥା ଦୟନୀୟ କରି ଦେଇଛନ୍ତି । କେବଳ ୩୬ ରନରେ ଦଳ ହରାଇ ସାରିଛି ମରକ୍ରମ, ଏଲଗା ଏବଂ ତେମ୍ବାଙ୍କ ୱିକେଟ । ନାଇଟ୍‌ ୱାଚ୍‌ ମ୍ୟାନ୍‌ ଭାବେ ଆସିଥିବା ଆନରିକ୍‌ ୨ ଏବଂ ବ୍ରୁୟନ ୨୦ ରନ୍‌ କରି ଅପରାଜିତ ଅଛନ୍ତି ।
ଏକାଧିକ ରେକର୍ଡ ଭଙ୍ଗ
ଅଧିନାୟକ ବିରାଟ କୋହଲି ୨୫୪ ରନ୍‌ କରିବା ବାଟରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ବିରାଟଙ୍କ ପାଖରେ ୨୬ ଟେଷ୍ଟ ଶତକ ଏବଂ ଏକଦିବସୀୟରେ ୪୩ ଏପରି ମୋଟ ୬୯ଟି ଆର୍ନ୍ତଜାତିକ ଶତକ ରହିଛି । ନିଜ ଡବଲ ସେଞ୍ଚୁରୀ ମାରିବା ବାଟରେ ବିରାଟ କୋହଲି ସାର ଡନ୍‌ ବ୍ରାଡମ୍ୟାନଙ୍କ ୧୫୦ରୁ ଉଦ୍ଧ୍ୱର୍ ୮ଟି ଇନିଂସକୁ ପାର କରିଥିଲେ । ଚା’ ପାନ ବିରତି ପରେ ନିଜ ଦ୍ୱିଶତକ ହାସଲ କରିଥିବା ବିରାଟ ସଚିନ୍‌ ଓ ସେହ୍ୱାଗଙ୍କୁ ପକାଇ ଦେଇଥିଲେ ପଛରେ । ୨ ଜଣ ଯାକ ଟେ୍େ‌ଟ କ୍ରିକେଟରେ ମାରିଥିଲେ ୬ଟି ଲେଖାଏଁ ଦ୍ୱିଶତକ । ନିଜର ୫୦ତମ ଟେଷ୍ଟ ମ୍ୟାଚ୍‌ ଅଧିନାୟକ ଭାବେ ଖେଳୁଥିବା ବିରାଟ, ଅଧିନାୟକ ଭାବେ ଖେଳିଥିବା ବ୍ରାଡମ୍ୟାନଙ୍କ ୧୫୦ ପ୍ଳସ ରେକର୍ଡକୁ ଭାଙ୍ଗିଛନ୍ତି । ତାଙ୍କ ପାଖରେ ଏବେ ୯ଟି ୧୫୦ ପ୍ଳସ ସ୍କୋର ଥିଲା ବେଳେ ବ୍ରାଡମ୍ୟାନଙ୍କ ପାଖରେ ଥିଲା ୮ଟି । ଚଳିତ ବର୍ଷର ଏହା ବିରାଟଙ୍କର ପ୍ରଥମ ଟେଷ୍ଟ ଶତକ । ଶୁକ୍ରବାର ରାହାଣେଙ୍କ ସହ ଜୋରଦାର ଭାଗିଦାରୀ କରିଥିବା ବିରାଟ ୪ର୍ଥ ୱିକେଟ ପାଇଁ ୧୭୮ ରନ୍‌ ଯୋଗ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ୪ର୍ଥ ୱିକେଟ ସକାଶେ ଭାରତର ବଡ଼ ଭାଗିଦାରୀ । ପୂର୍ବରୁ ୧୯୯୬-୯୭ରେ ସୌରଭ ଓ ଦ୍ରାବିଡ୍‌ ୧୪୫ ରନ୍‌ ଯୋଡ଼ିଥିଲେ ଜୋହାନ୍ସବର୍ଗଠାରେ ।
ଟେଷ୍ଟ ଗ୍ୟାଙ୍ଗ
ଏହି ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ମଧ୍ୟରେ ସାମିଲ ଅଛନ୍ତିି ୩ ଜଣ ନିଆରା ଫ୍ୟାନ୍‌ । ସେମାନେ ହେଲେ ଆଶୁତୋଷ ସିର୍କେ, ଅନିଶ ଡିସୋଜା ଏବଂ ଫରାଜ୍‌ ବେଗ୍‌ । ଏମାନଙ୍କୁ ଅମର, ଆକବର ,ଆନ୍ଥୋନି ଫ୍ର୍ୟାନ୍‌ ଭାବେ ପୁନେର ଲୋକ ଜାଣନ୍ତି । ମୁମ୍ବାଇ କିମ୍ବା ପୁଣେରେ ଟେଷ୍ଟ ମ୍ୟାଚ୍‌ ହେଉ କିମ୍ବା ରଣଜୀ ଟ୍ରଫି କି ଟି-୨୦ ତଥା ଏକଦିବସୀୟ ସବୁ ମ୍ୟାଚକୁ ଦେଖିବାକୁ ଏମାନେ ଆସିଥାନ୍ତି । କାଳକ୍ରମେ ଏମାନଙ୍କ ସହ ଆଉ କିଛି ବନ୍ଧୁ ମଧ୍ୟ ମିଶିଗଲେଣି । ସେମାନେ ସ୍ୱତନ୍ତ୍ର ଟି ସାର୍ଟ ପିନ୍ଧି ମ୍ୟାଚ୍‌ ଉପଭୋଗ କରୁଛନ୍ତି ଏଠାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*