ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗ୍ଡୋ କମିଶନଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । କ୍ୟାମ୍ପସ ରାଜନୀତିରେ ବିଜେପି ନେତା ହସ୍ତକ୍ଷେପ କରୁଛନ୍ତି । ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ରାଜନୈତିକ ଚାପ ପକାଯାଉଛି । ଶାସକ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତେଇବାକୁ ପ୍ରୟାସ କରାଯାଉଥିବାରୁ କଡ଼ା ନିନ୍ଦା କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ବିଧାୟକ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି ରହିଥିବା ବେଳେ ନୀତିନିୟମକୁ ଉଲ୍ଲଙ୍ଘନ କରାଯାଇ ଏବିଭିପି ସପକ୍ଷରେ ନିର୍ବାଚନ ଫଳାଫଳକୁ ନେବା ପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ଜରିଆରେ ଜେନ ଜି ମାନେ ଏକ ବଡ଼ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଭବିଷ୍ୟତ ପିଢ଼ି ଜେନ ଜି ମାନଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଷଡ଼ଯନ୍ତ୍ର କରି ଅନୈତିକ ଉପାୟରେ ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ବେନିୟମ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ତାହାକୁ ସୁଧାରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି, ଯାହା ଫଳରେ ଜେନ୍ ଜି ମାନେ ସରକାରଙ୍କ ବିରୋଧରେ ଆଜି ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ସେହିପରି ବ୍ୟୋମକେଶ ରାୟ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ଲିଙ୍ଗ୍ଡୋ କମିଶନଙ୍କ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବିଜେପି ସରକାର କମିଶନଙ୍କ ନିୟମକୁ ଅବମାନନା କରି ଛାତ୍ର ସଂସଦ ନିର୍ବାଚନ କରୁଛନ୍ତି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରାର୍ଥୀଙ୍କୁ ଅଗଣତାନ୍ତ୍ରିକ ଉପାୟରେ ବିଜୟୀ କରାଇବା ପାଇଁ ପ୍ରୟାସ କରାଯାଉଛି । ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ କୁଳପତି ଓ ଅଧ୍ୟକ୍ଷଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଫୋନ ଯାଉଛି । ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରହିବା କଥା, ନଚେତ ପ୍ରାର୍ଥୀପତ୍ର ନାକଚ ହୋଇଯିବ । କିନ୍ତୁ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ସୁରକ୍ଷିତ ରଖିବା ପାଇଁ ୭୫ ପ୍ରତିଶତ ଉପସ୍ଥାନ ନଥିବା ବେଳେ ତାହାକୁ ବଦଳାଇ ଦିଆଯାଉଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବା ପାଇଁ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ଯେଉଁଠି ବିଜେପି ନିର୍ବାଚନ ପାଇଁ ପ୍ରାର୍ଥୀ ପାଉନାହିଁ, ସେଠାରେ ଜାଣିଶୁଣି ଯୋଜନା ବଦ୍ଧ ଭାବେ ନିର୍ବାଚନ ବାତିଲ କରାଯାଉଛି । ଅଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ସରକାର ଏକପାଖିଆ ନିର୍ବାଚନ ଜିତିବାକୁ ପ୍ରୟାସ କରୁଛନ୍ତି । ଯଦି ଅନ୍ୟାୟ ଭାବେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରାଯିବ, ତେବେ ବିଜେଡି ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଆଡମିଶନ୍ ଶେଷ ହୋଇନାହିଁ । କିନ୍ତୁ ରାଜ୍ୟ ସରକାର ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ କରୁଛନ୍ତି । ବିଜେଡି ସର୍ବଦା ସ୍ୱଚ୍ଛ ନିର୍ବାଚନ କରାଇବା ଉପରେ ଗୁରୁତ୍ୱ ଦିଏ । ଯଦି ଷଡ଼ଯନ୍ତ୍ର କରି କୌଣସି ବେନିୟମ କାର୍ଯ୍ୟ କରାଯିବ, ତେବେ ବିଜେଡି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇ ଦୃଢ଼ ଜବାବ ଦିଆଯିବ । ଚିନ୍ମୟ ସାହୁ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଚଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । କିନ୍ତୁ ବିଜେଡି ସରକାର ସମୟରେ ଏପରି ହେଉନଥିଲା । ବିଜେପି ସରକାର ତରବରିଆ ଭାବେ ନିର୍ବାଚନ ଘୋଷଣା କରିବାର କାରଣ କ’ଣ ? ଏବିଭିପି ଓ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟ ସରକାର ମ୍ୟାଚ ଫିକ୍ସିଙ୍ଗ କରିଛନ୍ତି । କିନ୍ତୁ ଛାତ୍ରଛାତ୍ରୀ ମାନେ ବିଜେଡି ସହ ସବୁବେଳେ ଜଡ଼ିତ ହୋଇ ରହିଛନ୍ତି । ରାଜ୍ୟ ବ୍ୟାପୀ ୮୦ ପ୍ରତିଶତ କ୍ୟାମ୍ପସରେ ବିଜେଡି ବିଜୟ ଲାଭ କରିବ । ଛାତ୍ରଛାତ୍ରୀ ମାନଙ୍କ ମୁଦାକୁ ନେଇ ଲଢେଇ କରାଯିବ । ରାଜ୍ୟ ସରକାରଙ୍କୁ ହାରିବା ଭୟ ଘାରିଥିବାରୁ ତରବରିଆ ଭାବେ ନିର୍ବାଚନ କରୁଛନ୍ତି । ବିଜେପି ପାର୍ଥୀଙ୍କୁ ଜିତାଇବା ପାଇଁ କୁଳପତି ଓ ଅଧ୍ୟକ୍ଷ ମାନଙ୍କୁ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ଲିଙ୍ଗ୍ଡୋ କମିଶନ୍ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ବିଜେପି । ପାର୍ଥୀ ୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ନିୟମ ଥିବାବେଳେ କ୍ୟାମ୍ପସରେ ଭୋଜି ଭାତ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଟଙ୍କା କେଉଁଠୁ ଆସୁଛି ତାହାକୁ ଅନୁଧ୍ୟାନ କରୁନାହାଁନ୍ତି ସରକାର । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜାଣିଶୁଣି ଥାନାକୁ ଆଣି ଅଟକ ରଖି ଚାପ ପ୍ରୟୋଗ କରାଯାଉଛି । ଭୋଟ ଚୋରି ସମ୍ଭାବନା ଥିବାରୁ ନିରପେକ୍ଷ ଯାଞ୍ଚ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ କ୍ୟାମ୍ପସ ପଠାଯାଉ । ଇପ୍ସିତା ସାହୁ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରେ କୁଳପତି, ଅଧ୍ୟକ୍ଷ, ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ କାର୍ଯ୍ୟ କରୁଛନ୍ତି । ଏହିପରି ପକ୍ଷପାତିତା କାର୍ଯ୍ୟରୁ ସରକାର ନିବୃତ୍ତ ରୁହନ୍ତୁ, ନଚେତ ବିଜେଡି ପକ୍ଷରୁ ଘୋର ବିରୋଧ କରାଯିବ । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚାର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡି ପ୍ରାର୍ଥୀ ରାଜ୍ୟବ୍ୟାପୀ ସମସ୍ତ କ୍ୟାମ୍ପସରେ ଆଗୁଆ ରହିଛନ୍ତି । ଯାହାକୁ ବିଜେପି ସରକାର ସହି ନପାରି ବିଜେଡି ପ୍ରାର୍ଥୀଙ୍କୁ ଦବାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରଫେସର ମାନେ ବିଜେପିର ଦଳୀୟ ଏଜେଣ୍ଟ ସାଜି କାର୍ଯ୍ୟ କରୁଛନ୍ତି । ଭୋଟ ହାତେଇବା ପାଇଁ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ରାଜନୈତିକ ଚାପ ପ୍ରୟୋଗ କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ଲଢେଇ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ଅଧିକାର ରହିଛି । ତାହାକୁ ଛଡାଇ ନେବାକୁ ପ୍ରୟାସ କରାଗଲା ବିଜେଡି ପକ୍ଷରୁ ବିରୋଧ କରାଯିବ । ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି କଲେଜ ପ୍ରଶାସନ, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଜେନ ଜି ମାନେ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । Post navigation Puri ABADHA Scheme: ଅବଢ଼ା ଯୋଜନା ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୬୫୮.୦୩ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ