କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ପୁନର୍ବିକାଶ ତଥା ସମ୍ପ୍ରସାରଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ ଗତ କାଲି ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପୂର୍ଣ୍ଣ ହୋଇସାରିଥିବା ନିର୍ମାଣ କାର୍ଯ୍ୟକୁ ହସ୍ପିଟାଲ ପାଇଁ ହସ୍ତାନ୍ତର, ସେଥିରେ ଚିକିତ୍ସା ଉପକରଣ କ୍ରୟ ପୂର୍ବକ ସ୍ଥାପନ, ଏସସିବିର ବିଭିନ୍ନ ବିଭାଗକୁ ପର୍ଯ୍ୟାୟ କ୍ରମେ ନୂତନ ଭିତ୍ତିଭୂମିକୁ ସ୍ଥାନାନ୍ତର ଓ ସେସବୁର ରକ୍ଷଣାବେକ୍ଷଣ ଏବଂ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପ୍ରଦାନ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏସସିବି ସାମ୍ପ୍ରସାରଣ ପ୍ରକଳ୍ପରେ ଦୁଇଟି ପ୍ୟାକେଜ ରହିଛି । କ୍ଲିନିକାଲ ପ୍ୟାକେଜରେ ବିଭିନ୍ନ ବିଭାଗ ଓ ଚିକିତ୍ସା ଏବଂ ଦ୍ଵିତୀୟଟି ରେସିଡେନ୍ସିଆଲ ( ଆବାସିକ ) ପ୍ୟାକେଜ ଯାହାକି ଡାକ୍ତର, କର୍ମଚାରୀଙ୍କ ରହଣି ଓ ଛାତ୍ରବାସ ବ୍ୟବସ୍ଥା ରହିଛି । ଇତି ମଧ୍ୟରେ କ୍ଲିନିକାଲ ବ୍ଲକ ୧ ଏବଂ କ୍ଲିନିକାଲ ବ୍ଲକ ୪ ର ସିଭିଲ କାର୍ଯ୍ୟ ଶତ ପ୍ରତିଶତ ଶେଷ ହୋଇଛି । ଡିସେମ୍ବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ମୁଖ୍ୟ ସଚିବ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟରେ ମେଡିକାଲ ଓ ନନ ମେଡିକାଲ ଉପକରଣ କ୍ରୟ କରିବାକୁ ଓଡ଼ିଶା ମେଡିକାଲ କର୍ପୋରେସନକୁ ପରାମର୍ଶ ଦିଆଯାଇଛି । ସେହିପରି କ୍ଲିନିକାଲ ବ୍ଲକ ୨ ଓ ୩ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ସରିବ ଏବଂ ସେଥିରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଆଗାମୀ ଜୁନ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମଗ୍ରିକ ଭାବେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାକି ରହିଥିବା କାର୍ଯ୍ୟ ସାରିବାକୁ ବୈଠକରେ ଉପରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପର କ୍ଲିନିକାଲ୍ ପ୍ୟାକେଜ୍ ରେ ୪ଟି କ୍ଲିନିକାଲ୍ ବ୍ଲକ୍ ଏବଂ ୨ଟି ୟୁଟିଲିଟି ବ୍ଲକ୍ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି । କ୍ଲିନିକାଲ ବ୍ଲକ ୧ ରେ ଜେନେରାଲ ମେଡିସିନ ୬୦୦ ଶଯ୍ୟା ବିଶିଷ୍ଟ, କ୍ଲିନିକାଲ ବ୍ଲକ ୨ ରେ ସ୍ପେସିଆଲାଇଜଡ ମେଡ଼ିସିନ ୪୯୬ ଶଯ୍ୟା ବିଶିଷ୍ଟ, କ୍ଲିନିକାଲ ୩ରେ ସ୍ପେସିଆଲାଇଜଡ ସର୍ଜରୀ ୪୫୬ ଶଯ୍ୟା ଏବଂ କ୍ଲିନିକାଲ ୪ ରେ ୫୦୬ ଶଯ୍ୟା ବିଶିଷ୍ଟ ଜେନେରାଲ ସର୍ଜରୀ ଓ ଟ୍ରାମା କ୍ଲିନିକାଲ ବ୍ୟବସ୍ଥା ରହିଛି । ହସ୍ପିଟାଲ୍ର ନୂତନ କ୍ଲିନିକାଲ୍ ବ୍ଲକ୍ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ଫର୍ଣ୍ଣିଚର୍ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ମୋଟ ୪୭ଟି ଉଚ୍ଚମାନର ଚିକିତ୍ସା ଉପକରଣ ମଧ୍ୟରୁ ପ୍ରଥମେ ୨୩ଟି ଉପକରଣ ସ୍ଥାପନ ପାଇଁ ଯୋଜନା ରହିଛି। ଏଥିମଧ୍ୟରେ ରେଡିଓଲୋଜି, ଡେକ୍ସା ସ୍କାନ୍, ଫ୍ଲୋରୋସ୍କୋପି, କ୍ୟାଥ୍ ଲ୍ୟାବ୍, ଏମ୍ଆର୍ଆଇ, ସିଟି ସ୍କାନ୍ ଓ ସିଏସ୍ଏସ୍ଡି ଆଦି ଉପକରଣ ଅନ୍ତର୍ଭୁକ୍ତ। ଉପକରଣଗୁଡ଼ିକର ବିବରଣୀ ଓ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ମେଡିକାଲ୍ ଓ ନନ୍-ମେଡିକାଲ୍ ଫର୍ଣ୍ଣିଚର୍ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ଭିତ୍ତିଭୂମିର ସୁଚାରୁ ପରିଚାଳନା ପାଇଁ ନିରବଛିନ୍ନ ବିଦ୍ୟୁତ୍ ଓ ଜଳଯୋଗାଣ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ସମସ୍ତ ବ୍ୟବସ୍ଥାଗୁଡ଼ିକର ନିରନ୍ତର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ମାନବ ସମ୍ବଳ ନିୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ନୂତନ ଭିତ୍ତିଭୂମିକୁ ସୁଚାରୁ ଭାବେ ପରିଚାଳନା ପାଇଁ ସମ୍ପୃକ୍ତ ବିଭାଗର କର୍ମଚାରୀମାନଙ୍କୁ ବିଭିନ୍ନ ଯନ୍ତ୍ରପାତି ଓ ବୈଷୟିକ ବ୍ୟବସ୍ଥାର ପରିଚାଳନା ନେଇ ତାଲିମ୍ ପ୍ରଦାନ କରାଯିବ। ଏଥିରେ ବିଦ୍ୟୁତ୍ ବ୍ୟବସ୍ଥା, ଡିଜି ସେଟ୍, ଲିଫ୍ଟ, ଏଚ୍ଭିଏସି, ଜଳ ବିଶୋଧନ ଓ ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ନର୍ସ କଲ୍ ସିଷ୍ଟମ୍, ଲଣ୍ଡ୍ରି, ରୋଷେଇ ଓ ଅନ୍ୟାନ୍ୟ ଆଧୁନିକ ଉପକରଣର ପରିଚାଳନା ଆଦି ଅନ୍ତର୍ଭୁକ୍ତ। ଏହା ସହିତ ହସ୍ପିଟାଲ୍ର ବିଭିନ୍ନ ବିଭାଗର ସୁରୁଖୁରୁ ସ୍ଥାନାନ୍ତର ଓ ନୂତନ ଭିତ୍ତିଭୂମିର ସଫଳ ପରିଚାଳନା ପାଇଁ ଆବଶ୍ୟକ ଡାକ୍ତର, ପାରାମେଡିକାଲ୍, ହାଉସକିପିଂ, ରକ୍ଷଣାବେକ୍ଷଣ ଓ ସୁରକ୍ଷା କର୍ମଚାରୀଙ୍କ ଆବଶ୍ୟକତା ଆକଳନ ଉପରେ ଆଲୋଚନା ହୋଇଥିଲା । ଏହା ସହିତ ହଷ୍ଟେଲ୍ଗୁଡ଼ିକର ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପାଇଁ ସର୍ତ୍ତାବଳୀ ପାଳନ, ଅଗ୍ନି ନିରାପତ୍ତା ଅନୁମତି, ବର୍ଷାଜଳ ସଂରକ୍ଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସୌରଶକ୍ତି ବ୍ୟବସ୍ଥା ସ୍ଥାପନ ଆଦି ବିଷୟରେ ସମୀକ୍ଷା ହୋଇଥିଲା। କ୍ଲିନିକାଲ୍ ପ୍ରକଳ୍ପ ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କିତ ପଦକ୍ଷେପ ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓପିଟିସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ଏସଆଇଟିଆଇ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶ୍ୱତୀ ଏସ୍., ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ୍.ଏନ୍., କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ,ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଅଧୀକ୍ଷକ ପ୍ରଫେସର ଡା.ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। Post navigation Congress Calls Ex-CM Tour Probe Political Drama: ବିଜେଡି ସହ ଦୂରତା ଦେଖାଇବାକୁ ତଦନ୍ତ ନାଟକ କରୁଛନ୍ତି ମୁଖ୍ୟମନ୍ତ୍ରୀ: ଭକ୍ତ ଚରଣ ଦାସ