ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ଅଧିକାରୀସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ବିଜୁ ଜନତା ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ବିଶେଷ କରି ୨୦୨୨ ଓ ୨୦୨୩ ମସିହାରେ ରୋମ୍, ଜାପାନ ଓ ଦୁବାଇ ଗସ୍ତ ସମୟରେ ଦର୍ଶାଯାଇଥିବା ସରକାରୀ ତଥ୍ୟ ସହ ସୂଚନା ଅଧିକାର ବଳରେ ସୂଚନା ଅଧିକାର କର୍ମୀଙ୍କୁ ଦିଆଯାଇଥିବା ତଥ୍ୟର ତାଳମେଳ ରହୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ବିଜୁ ଜନତା ଦଳ ବିଚଳିତ ହେଇପଡ଼ିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଯେକେହି ହୁଅନ୍ତୁ କେହି ବି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଦାୟିତ୍ୱରେ ଥିଲା ବେଳେ ଯେଉଁମାନେ ସରକାରୀ ଅର୍ଥରେ ବିଦେଶ ଗସ୍ତରେ ଯାଉଛନ୍ତି କିମ୍ବା କୌଣସି ପ୍ରକାର ଖର୍ଚ୍ଚ କରୁଛନ୍ତି ସେ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ କରିବାର ଆବଶ୍ୟକତା ରହିଛି। କାରଣ ଏହା ଜାତୀୟ ଓ ସାଧାରଣ ଲୋକଙ୍କର ସମ୍ପତି। ଏ ସମ୍ପତିକୁ ବେନିୟମ ଭାବେ ଖର୍ଚ୍ଚ କରିବାର ଅଧିକାର କାହାର ନାହିଁ। ସେ ଦୃଷ୍ଟିରୁ ବାସ୍ତବ ଘଟଣା କ’ଣ ଜାଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଦେଶ ଗସ୍ତର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ଏବଂ ସତ୍ୟାସତ୍ୟ ସାର୍ବଜନୀନ ହେବା ଆବଶ୍ୟକତା ରହିଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ଦଳର ନେତାମାନେ ଗଣମାଧ୍ୟମରେ ବକ୍ତବ୍ୟ ଦେବା ସମୟରେ ସେମାନଙ୍କ ଶାରୀରିକ ଭାବଭଙ୍ଗୀ, ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରହୁନାହିଁ। କ’ଣ ପାଇଁ ଏତେ ଡର ବୋଲି ବିରଂଚି ନାରାୟଣ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ସରକାରରେ ଥିଲାବେଳେ ବିଜେଡି ଯଦି କୌଣସି ଅନିୟମିତତା କରିଛି, ତା’ର ଉତର ଓଡ଼ିଶାବାସୀଙ୍କୁ ଦେବାକୁ ପଡ଼ିବ। ତେଣୁ ଯେତେବେଳେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତାହାକୁ ସାମ୍ନା କରିବା ପାଇଁ ସାହସ ଓ ଧର୍ଯ୍ୟ ରଖିବାକୁ ପଡ଼ିବ। ଏ ପ୍ରକାର ଅଧର୍ଯ୍ୟ ହୋଇ ବାଚାଳାମୀ କଲେ ଓଡ଼ିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଏବଂ ଭାରତୀୟ ଦୂତାବାସଙ୍କ ପାଖରେ ଖବର ରହିବ ନାହିଁ କାହିଁକି? ଓଡ଼ିଶାରେ ଓଟିଡିସି ଭଳି ଗୋଟିଏ ସରକାରୀ ସଂସ୍ଥା ଥିବାସତ୍ୱେ ନବୀନ ବାବୁ ଓ ତାଙ୍କ ସରକାର ବିଦେଶ ଗସ୍ତ ନିମନ୍ତେ କେଉଁ କାରଣ ପାଇଁ ଘରୋଇ ସଂସ୍ଥାକୁ ବ୍ୟବହାର କଲେ? ବିଦେଶଗସ୍ତର ବିଲ୍ କେତେଜଣଙ୍କ ନାମରେ ଓ କାହା ନାମରେ ହୋଇଛି? ଏଭଳି ଅଭିଯୋଗର ତଦନ୍ତ ହେବା ଆବଶ୍ୟକତା ନାହିଁ କି? ଏ ସମସ୍ତ ପ୍ରଶ୍ନର ଉତର ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ସେ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରଠାରୁ ବିଜୁ ଜନତା ଦଳର ନେତାମାନେ ଛାନିଆ ହୋଇ ବାଚାଳାମୀ ଆରମ୍ଭ କରି ଦେଇଛନ୍ତି। ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଛି ବିଜେଡି। ମାତ୍ର ସେମାନେ ଭଲଭାବେ ଜାଣି ରଖିବା ଉଚିତ୍, ଜାତୀୟ କିମ୍ବା ଲୋକଙ୍କ ସମ୍ପତିକୁ ସୁରକ୍ଷା ଦେବା ହେଉଛି ବିଜେପି ସରକାରର ପ୍ରାଥମିକତା। ଯଦି କେହି ଅନିୟମିତତା କରିବେ ସେ ଯେତେବଡ଼ ବ୍ୟକ୍ତିବିଶେଷ ହୋଇଥାନ୍ତୁ ନା କାହିଁକି ତାହା ସାର୍ବଜନୀନ ହେବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତଦନ୍ତ ଆଦେଶ ଶୁଣି ବିଜେଡି ଯଦି ଏ ପ୍ରକାର ବାଚାଳାମୀ କରୁଛି, ସତ୍ୟାସତ୍ୟ ସାମ୍ନାକୁ ଆସବା ପରେ ତାଙ୍କ ଦଳର ଯେ, କ’ଣ ଅବସ୍ଥା ହେବ ଏଥିରୁ ସହଜେ ଅନୁମେୟ ବୋଲି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। ଏହି ଅବସରରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ। Post navigation PM SVANidhi Samman Awards 2026: ପିଏମ୍ ସ୍ୱନିଧି ପୁରସ୍କାରରେ ଓଡ଼ିଶାର ଐତିହାସିକ ସଫଳତା; ଜାତୀୟ ସ୍ତରରେ ଗୌରବ ଆଣିଲେ ରାସ୍ତାକଡ଼ ବ୍ୟବସାୟୀ