ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା ସି.ରାମୋଜୀ ରାଓଙ୍କର ପରଲୋକ । ତେଲୁଗୁ ନ୍ୟୁଜ୍ ଏବଂ ଗଣମାଧ୍ୟମ ଏଟିଭି ନେଟୱାର୍କର ମୁଖ୍ୟ ତଥା ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଆଜି ଭୋର ପ୍ରାୟ ୩ଟା ୩୫ରେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ ରାମୋଜି ରାଓଙ୍କର ଦେହାନ୍ତ ହୋଇଛି। ରାମୋଜିଙ୍କ ଦେହାନ୍ତ ଖବର ପାଇବା ପରେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିବା ରାଓଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।

ମିଡିଆ ଓ ଭାରତୀୟ ଫିଲ୍ମ ଶିଳ୍ପ ପ୍ରତି ରାମୋଜୀ ରାଓଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ସମସ୍ତ ମନୋରଞ୍ଜନ ଶିଳ୍ପ ପ୍ରତି ଏକ ଗଭୀର କ୍ଷତି।

ସୂଚନାଯୋଗ୍ୟ, ରାମୋଜି ରାଓ କିଛି ବର୍ଷ ପୂର୍ବେ ସଫଳତାର ସହ କୋଲୋନ କ୍ୟାନସର ସହିତ ଲଢିଥିଲେ। ରାମୋଜି ରାଓ ଦୀର୍ଘ ସମୟ ଧରି କ୍ରନିକ ରୋଗ ଏବଂ ବୟସ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ।

ରାମୋଜି ରାଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜୁନ୍ ୫ରେ ଖରାପ ହୋଇଥିଲା। ତାଙ୍କୁ ଉଚ୍ଚ ରକ୍ତଚାପ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବାରୁ ପରେ ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ରାମୋଜିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ବେଳକୁ ବେଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ନିଜ ଜମିରେ ସେ ‘ରାମୋଜୀ ଫିଲ୍ମସିଟି’ର ନିର୍ମାଣ କରାଇଥିଲେ। ସେ ପ୍ରାୟ ୫୦ ଟି ଚଳଚ୍ଚିତ୍ର ଏବଂ ଟେଲିଫିଲ୍ମ ନିର୍ମାଣ କରିଥିଲେ। ସେ ଏକ ଜାତୀୟ ପୁରସ୍କାର ଏବଂ ଦୁଇଟି ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।

Leave a Reply

Your email address will not be published. Required fields are marked *