ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ତଥା ଥଣ୍ଡା ବାୟୁ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ହ୍ରାସ ପାଇଛି। ଝାରସୁଗୁଡ଼ା ଓ ଦେବଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ସେଲସିୟସକୁ ଖସି ଆସିଛି।

ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ଶୀତର ଅନୁଭୂତି ବଢ଼ିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଇସ୍ପାତ ନଗରୀ ରାଉରକେଲାରେ ପାରଦ ୧୬.୫ ଡିଗ୍ରୀ ସେଲସିୟସ ରହିଛି। ସକାଳ ଓ ସନ୍ଧ୍ୟା ସମୟରେ ହାଲୁକା କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ ବହୁଥିବାରୁ ଜନଜୀବନ ସାମାନ୍ୟ ପ୍ରଭାବିତ ହୋଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବୁଧବାର ଆକାଶ ନିର୍ମଳ ରହିବ। ତେବେ ସକାଳ ସମୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ। ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର କୌଣସି ସଙ୍କେତ ନଥିବା ବେଳେ, ଏହା ପରବର୍ତ୍ତୀ ଆଉ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ମଧ୍ୟ ଶୁଖିଲା ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି।

 ଏହା ସହିତ ବିଭିନ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ସକାଳ ସମୟରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *