ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ପାଇଁ ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ନିଜ ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ଏହି ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା ଦେଶବାସୀଙ୍କୁ  ‘ଏକ୍ସ’ରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେଶବିଦେଶରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଗଣଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଅଛି। ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି। ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ। ଏହି ଶୁଭ ଅବସରରେ ଦେଶ ଓ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି।

ସେହିପରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ପର୍ବ ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଉଜ୍ଜ୍ୱଳ ଉଦାହରଣ। ରଥଯାତ୍ରା ସହିତ ଜଡ଼ିତ ପରମ୍ପରା ଭାରତ ଏବଂ ବିଶ୍ୱର ପିଢ଼ିକୁ ପ୍ରେରଣା ଦେଇଛି। ଏଥିରେ ନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସ୍ୱାର୍ଥପର ସେବାର ଅବତାରଣା ରହିଛି। ମହାପ୍ରଭୂ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ। ସେ ଆମକୁ ଆମର ସମସ୍ତ ପ୍ରୟାସ ପାଇଁ ଶକ୍ତି ଦିଅନ୍ତୁ ଏବଂ ଆମ ସମାଜରେ ଏକତାର ଭାବନାକୁ ଆହୁରି ଗଭୀର କରନ୍ତୁ।

ଏହା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇକି କହିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଅସୀମ କୃପା ଓ ଆଶୀର୍ବାଦରେ ରାଜ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ଧାରା ଅବ୍ୟାହତ ରହୁ, ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ମଙ୍ଗଳମୟ ହେଉ ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ସମସ୍ତଙ୍କ କଲ୍ୟାଣ ସୁନିଶ୍ଚିତ ହେଉ ବୋଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଚରଣକମଳରେ ପ୍ରାର୍ଥନା କରୁଛି।

 

Leave a Reply

Your email address will not be published. Required fields are marked *