ମାଷ୍ଟରକ୍ୟାଣ୍ଟିନ୍ ଛକରେ ସଂଘଠିତ ବିଶୃଙ୍ଖଳା ଓ ହିଂସାତ୍ମକ ଘଟଣାକୁ ନେଇ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ, ଟ୍ୟାକ୍ସି ଓ ବାଇକ୍ ଡ୍ରାଇଭର୍ ସଂଘ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। ସଂଘର ସଭାପତି ଦୀନବନ୍ଧୁ ନାୟକ ଏକ ଭିଡିଓ ଜାରି କରି ସାଧାରଣ ଜନତାଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଦୀନବନ୍ଧୁ ଭିଡ଼ିଓରେ ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି । ଆନ୍ଦୋଳନବେଳେ ଯାହା ଘଟିଲା ତାହା ହେବାର ନ ଥିଲା । ସେଥିପାଇଁ ସେ ବହୁତ ଦୁଃଖିତ । ଜନସାଧାରଣଙ୍କର ହୋଇଥିବା ଅସୁବିଧା ପାଇଁ ସଂଘ ଦୁଃଖ ପ୍ରକାଶ କରିଛି । ସେମାନଙ୍କ ଭୁଲକୁ ସ୍ୱୀକାର କରିଛନ୍ତି । ଏଥିପାଇଁ ତାଙ୍କୁ ଯେତେବେଳେ ଗାଳି ଦେବାର କଥା ଗାଳି ଦିଅନ୍ତୁ ବୋଲି ସେ କହିଛନ୍ତି । ଏହି ଭୁଲ ହେବାର ନ ଥିଲା । ହିଂସା ଘଟଣାରେ ରାଜନୀତି ଉଦ୍ଦେଶ୍ୟ ଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ କୌଣସି ବିଦେଶୀ ପଣ୍ଡିଂ ଆସିନି । ସମସ୍ତେ ଖଟିଖିଆ ଅଟୋ, ଟ୍ୟାକ୍ସି ଓ ବାଇକ ଚାଳକ । ସେମାନେ ୨୦୧୬ରୁ ଆନ୍ଦୋଳନ କରିଆସୁଥିଲେ । ମାତ୍ର ଦାବି ପୂରଣ ନ ହେବାରୁ ପରେ ବିଶ୍ୱାସ ହରାଇଥିଲେ । ବାରମ୍ବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବା ପରେ ଆକ୍ରୋଶର ପ୍ରତିଫଳନ ବୋଲି ଦୀନବନ୍ଧୁ କହିଛନ୍ତି । ଏହା ସହିତ ଦୀନବନ୍ଧୁ, ଭୁବନେଶ୍ୱର କମିଶନରେଟ୍ ପୋଲିସ ଡିସିପି ଜଗମୋହନ ମୀନାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଡିସିପି ଯେଉଁ ଗୁଣ୍ଡା ଶବ୍ଦ ବ୍ୟବହାର କରିଛନ୍ତି ତାହା ତାଙ୍କୁ ବହୁତ ଦୁଃଖ ଦେଇଛି । ସମସ୍ତେ କିଛି ବ୍ୟବସାୟ ହରାଇବା ପରେ କିମ୍ବା ଚାକିରୀ ନ ପାଇବା ପରେ ଡ୍ରାଇଭର୍ ଜୀବିକାଙ୍କୁ ଆପଣାଇଛନ୍ତି । ସେମାନେ କେହି ଗୁଣ୍ଡା ନୁହଁନ୍ତି । ଡିସିପି ମାଇଲେଜ୍ ନେବା ପାଇଁ ଆମକୁ ଗୁଣ୍ଡା ସଜେଇ ଦେଲେ ବୋଲି ଦୀନବନ୍ଧୁ କହିଛନ୍ତି । ସୂଚନା ଅନୁଯାୟୀ; ଗତ ୧୯ ତାରିଖରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ସମୟରେ ଭଙ୍ଗାରୁଜା ଓ ପୋଲିସ ଉପରକୁ ଆକ୍ରମଣ ଘଟଣା ଘଟିଥିଲା। ଏହି ଆକ୍ରମଣ ଓ ଅଶାନ୍ତି ପରଠାରୁ ସଂଘ ସଭାପତି ଦୀନବନ୍ଧୁ ନାୟକ ଫେରାର୍ ଥିଲେ। ଦୀର୍ଘ ଦିନ ପରେ ସେ ଭିଡିଓ ବାର୍ତ୍ତା ଜାରି କରି ନିଜର ପକ୍ଷ ରଖିବା ସହ କ୍ଷମା ମାଗିଛନ୍ତି। Post navigation Govt Allows Duty-Free Import of raw Sugar: ଚିନି ଉପରୁ ହଟିଲା ଆମଦାନୀ ଶୁଳ୍କ Odisha Flood Alert: ରାଜ୍ୟରେ ବନ୍ୟା ପରିସ୍ଥିତି: ଯାଜପୁରରେ ୩୧୩ ଓ ଭଦ୍ରକରେ ୨୦୫ଟି ସ୍କୁଲ୍ ବନ୍ଦ ଘୋଷଣା