minor-dies-while-filming-reels-on-railway-track-in-boudh
ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ନାବାଳକଙ୍କ ପାଇଁ ମହଙ୍ଗା ପଡ଼ିଛି । ରେଳ ଧାରଣାରେ ରିଲ୍ସ ତିଆରି କରୁଥିବା ବେଳେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ନାବାଳକ ଜଣକ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲୁପାଲି ଗାଁର ବୋଲି ଜଣାପଡ଼ିଛି ।
 
ସୂଚନା ଅନୁଯାୟୀ, ନାବାଳକ ଜଣକ ରେଳ ଧାରଣା ନିକଟରେ ରିଲ୍ସ ତିଆରି କରୁଥିବା ସମୟରେ ଟ୍ରେନ୍ ଧକ୍କାର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
 
ସବୁଠାରୁ ଦୁଃଖଦ ବିଷୟ ହେଉଛି, ନାବାଳକ ଜଣକ ପୂର୍ବରୁ ଟ୍ରେନ୍ ତଳେ ଶୋଇ ରିଲ୍ସ ତିଆରି କରିଥିବା ସୂଚନା ମିଳିଛି । ଏପରି ବିପଜ୍ଜନକ କାର୍ଯ୍ୟ ନକରିବା ପାଇଁ ପୂର୍ବରୁ ପୋଲିସ ପକ୍ଷରୁ ତାଙ୍କ ପରିବାରକୁ ଚେତାବନୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି ।
 
ଘଟଣା ପରେ ବାଉଁଶୁଣୀ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଜାରି ରହିଛି ।
 
ସୋସିଆଲ ମିଡିଆରେ ଲାଇକ୍ ଓ ଭ୍ୟୁ ପାଇବା ପାଇଁ ରେଳ ଧାରଣାରେ ରିଲ୍ସ କରିବା କିମ୍ବା ଟ୍ରେନ୍ ନିକଟରେ ଷ୍ଟଣ୍ଟ କରିବା ଅତ୍ୟନ୍ତ ବିପଜ୍ଜନକ । ଏପରି ଅସାବଧାନତା ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ ।

By Nirvay

Leave a Reply

Your email address will not be published. Required fields are marked *