କଟକ ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା । ପୁରୀଘାଟ ଥାନା ଅନ୍ତର୍ଗତ ସନସାଇନ୍ ଗ୍ରାଉଣ୍ଡ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଦୁଇ ସାହିର ଲୋକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗି ରହିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସନସାଇନ୍ ଗ୍ରାଉଣ୍ଡ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଦେଖୁ ଦେଖୁ ଏହା ଉଗ୍ର ରୂପ ନେଇଥିଲା । ଉଭୟ ପକ୍ଷ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟାପଥର ମାଡ଼ କରିଥିଲେ । ଏହି ସଂଘର୍ଷରେ ଅମରେନ୍ଦ୍ର ସାମଲ ଓରଫ ବୁଲୁଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି । ଏହି ଘଟଣାରେ ପୋଲିସ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗଣେଶ ଘାଟ ଛକ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ କଡ଼ା ନଜର ରଖିଛି । Post navigation Odisha Assembly: ବିଧାନସଭାରେ ପ୍ରଶାସନିକ ଅଧିକାରୀଙ୍କ ମନମାନି ଓ ଜନପ୍ରତିନିଧିଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇଲେ ବିଧାୟକ