MLA Ashok Das Raise Concerns Over Disrespect Towards Elected Representatives by Officials
ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମନମାନି ଓ ଜନପ୍ରତିନିଧିଙ୍କୁ ଅସମ୍ମାନ ପ୍ରସଙ୍ଗ ଏବେ ବିଧାନସଭାରେ ଝଡ଼ ସୃଷ୍ଟି କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ସଭାସ୍ଥଳ ଛାଡ଼ି ଚାଲିଯାଇଥିବା ନେଇ ଗୃହରେ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି ବାସୁଦେବପୁର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ । ଶୂନ୍ୟକାଳରେ ବିଧାୟକଙ୍କ ଏହି ଅଭିଯୋଗ ପରେ ରାଜ୍ୟ ପ୍ରଶାସନିକ ମହଲ ଓ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
 
ବିଧାନସଭାର ଶୂନ୍ୟକାଳରେ ଗୃହର ରୁଲ୍-୪୭ ଏବଂ ପ୍ରଶାସନିକ ପ୍ରୋଟୋକଲ୍ ପ୍ରସଙ୍ଗ ଉତ୍ଥାପନ କରି ଦାସ କହିଛନ୍ତି ଯେ, ରାଜ୍ୟରେ ଅଫିସରମାନେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି । କେବଳ ବିଧାୟକ ନୁହନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ପ୍ରୋଟୋକଲ୍ ମାନୁ ନଥିବା ସେ ଅଭିଯୋଗ କରିଛନ୍ତି ।
 
ଗୃହରେ ଏକ ଟିଭି ସମ୍ବାଦର ଉଦାହରଣ ଦେଇ ବିଧାୟକ ଦାସ କହିଛନ୍ତି, ‘‘ଆମ କଥା ବାଦ୍ ଦେଇଦିଅନ୍ତୁ; ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଯେତେବେଳେ ପାରାଦ୍ୱୀପ ବୋଇତ ବନ୍ଦାଣ ଉତ୍ସବରେ ଉପସ୍ଥିତ ଥିଲେ, ସେତେବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସ୍‌ପିଙ୍କ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀମାନେ ସଭାସ୍ଥଳ ଛାଡ଼ି ପଳାଇଥିବା ମୁଁ ଟିଭି ସମ୍ବାଦରେ ଦେଖୁଥିଲି ।’’
 
ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦ୍ୱୀପରେ ଆୟୋଜିତ ‘କଳିଙ୍ଗ ବାଲିଯାତ୍ରା-୨୦୨୬’ ଓ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସରକାରୀ ପ୍ରୋଟୋକଲ୍ ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାପାଳ ଓ ଏସ୍‌ପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହିବା ବାଧ୍ୟତାମୂଳକ । ଏଭଳି ସ୍ଥିତିରେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ଥାନ ପୂର୍ବରୁ ସଭାସ୍ଥଳ ଛାଡ଼ିଥିଲେ କି ନା, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
 
ଅନ୍ୟପକ୍ଷରେ, ବାଲିଯାତ୍ରା ଭଳି ବିଶାଳ ଜନସମାଗମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ଥାନ ପୂର୍ବରୁ ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ତଦାରଖ କରିବାକୁ ଅଧିକାରୀମାନେ ମଞ୍ଚ ନିକଟରୁ ବାହାରକୁ ଯାଇଥିଲେ ନା ବାସ୍ତବରେ କୌଣସି ପ୍ରୋଟୋକଲ୍ ଉଲ୍ଲଙ୍ଘନ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଗୁରୁତର ଅଭିଯୋଗ ଉଠିବା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ରଖାଯାଇନାହିଁ ।

By Nirvay

Leave a Reply

Your email address will not be published. Required fields are marked *