ପବିତ୍ର କାର୍ତ୍ତିକ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ବ୍ରତ ପାଳନ କରିବାକୁ ଇଚ୍ଛୁକ ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ନିଶୁଳ୍କ ହବିଷ୍ୟାଳି ଯୋଜନା’ ଅଧୀନରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି।

ଆଶାୟୀ ବ୍ରତଧାରୀମାନେ ରାଜ୍ୟ ସରକାରଙ୍କ ସରକାରୀ ପୋର୍ଟାଲ୍ edistrict.odisha.gov.in କୁ ଯାଇ ନିଜର ନାମ ପଞ୍ଜୀକରଣ କରିପାରିବେ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ବର୍ଷରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳା ଆବେଦନ କରିପାରିବେ। କେବଳ ଅନଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ହବିଶ୍ୟାଳୀ ପଞ୍ଜୀକରଣକୁ ଗୃହିତ କରାଯିବ। ତେବେ ସୀମିତ ଆସନ ଥିବାରୁ ନିର୍ଦ୍ଧାରିତ ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଏହି ଅନଲାଇନ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲୁ ରହିବ।

ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବାକୁ ଥିବା ବେଳେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୨୫୦୦ ଜଣ ହବିଷ୍ୟାଳିଙ୍କ ରହିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ଯୋଜନା କରାଯାଇଛି। ବ୍ରତଧାରୀମାନଙ୍କ ଆରାମଦାୟକ ରହଣି ପାଇଁ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଏବଂ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସଠାରେ ରହିବାର ସୁବନ୍ଦୋବସ୍ତ କରାଯାଇଛି।

ଏହା ସହିତ କାର୍ତ୍ତିକ ମାସ ସାରା ବ୍ରତଧାରୀମାନେ ଯେପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ ଏବଂ ପ୍ରତିଦିନ ମାଗଣାରେ ମହାପ୍ରସାଦ ସେବନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *