ପୁରୀ ସହରରେ ଅକ୍ଟୋବର ମାସରେ ଅପ୍ରତ୍ୟାଶିତ ପ୍ରଚଣ୍ଡ ତାପମାତ୍ରା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତକାଲି ଅର୍ଥାତ୍ ୫ ଅକ୍ଟୋବର ୨୦୨୬ରେ ପୁରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଗତ ୧୩୦ ବର୍ଷ ମଧ୍ୟରେ ଅକ୍ଟୋବର ମାସର ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା ଅଟେ।

୧୮୯୬ ମସିହାରୁ ଉପଲବ୍ଧ ତଥ୍ୟ ଅନୁସାରେ, ଏହା ପୂର୍ବରୁ ୨୦୨୪ ମସିହା ଅକ୍ଟୋବର ୪ ତାରିଖରେ ୩୬.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଚଳିତ ବର୍ଷର ଏହି ନୂତନ ରେକର୍ଡ ପୂର୍ବର ସମସ୍ତ ଗରମକୁ ପଛରେ ପକାଇ ଦେଇଛି। ଉପକୂଳବର୍ତ୍ତୀ ସହରରେ ସାଧାରଣତଃ ଅକ୍ଟୋବର ମାସରେ ଏପରି ଗୁଳୁଗୁଳି ଓ ପ୍ରଚଣ୍ଡ ଖରା ପରିଦୃଷ୍ଟ ହୋଇନଥାଏ, ମାତ୍ର ଚଳିତ ବର୍ଷ ପାରଦ ୩୬.୬°C ଛୁଇଁବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଅନ୍ୟପଟେ ଏହାରି ମଧ୍ୟରେ ମଧ୍ୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅକ୍ଟୋବର ୬ ରୁ ୯ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିଜୁଳି, ଘଡ଼ଘଡ଼ି, କାଳବୈଶାଖୀ ଏବଂ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅକ୍ଟୋବର ୬ ତାରିଖରେ କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଓ ଗଞ୍ଜାମ ସମେତ ୨୪ଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି।

ଅକ୍ଟୋବର ୭ ଓ ୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ଏବଂ ନୟାଗଡ଼ ଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ଜାରି ରହିବ। ତେବେ ଅକ୍ଟୋବର ୯ ତାରିଖ ବେଳକୁ ବର୍ଷାର ପରିମାଣ କମି କେବଳ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଭଳି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବ।

ପ୍ରବଳ ଗୁଳୁଗୁଳି ଓ ଆକସ୍ମିକ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ବିଶେଷ କରି ଅପରାହ୍ନ ସମୟରେ ଯାତ୍ରୀ ଓ ସାଧାରଣ ନାଗରିକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

 

Leave a Reply

Your email address will not be published. Required fields are marked *