ଆସନ୍ତା ୮ ଅକ୍ଟୋବରରେ ଓଡ଼ିଶା ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ଶୃଙ୍ଖଳିତ ଭାବେ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ ଇଣ୍ଡି ମେଣ୍ଟ ପକ୍ଷରୁ ନିବେଦନ କରାଯାଇଛି। ଆଗାମୀ ଅକ୍ଟୋବର ୮ ତାରିଖ ଗୁରୁବାର ଦିନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ।

ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା, ନୂତନ MMDR ବିଲ୍ ପ୍ରତ୍ୟାହାର ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ଯୋଗୁଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ବାନ ଦିଆଯାଇଛି। ଗଣତାନ୍ତ୍ରିକ ପ୍ରତିବାଦ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ପହଞ୍ଚାଇବା ଏବଂ ଚାପ ସୃଷ୍ଟି କରିବା ଏହି ବନ୍ଦର ମୂଳ ଉଦ୍ଦେଶ୍ୟ ହୋଇଥିବା ବେଳେ, ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇବା ଏହାର ଲକ୍ଷ୍ୟ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି।

ଏହି ହରତାଳ ଯୋଗୁଁ ରାଜ୍ୟର ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାର ସମ୍ଭାବନା ରହିଛି। ସେଥିପାଇଁ ବନ୍ଦ ପାଳନ ସମୟରେ କେଉଁ ସେବା ଗୁଡ଼ିକ ବନ୍ଦ ରହିବ ଏବଂ କେଉଁ ନିତ୍ୟାବଶ୍ୟକୀୟ ସେବାଗୁଡ଼ିକୁ ମୁକ୍ତ ରଖାଯାଇଛି, ସେ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଏହି ବନ୍ଦ ପାଳନ ଅବସରରେ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅଫିସ୍ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସାଧାରଣ କାର୍ଯ୍ୟକଳାପ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି। ଏହାସହିତ ବସ୍, ଆଟୋ, ଟ୍ରକ୍ ସମେତ ଅନ୍ୟାନ୍ୟ ସାଧାରଣ ଓ ବାଣିଜ୍ୟିକ ଯାନବାହାନ ଚଳାଚଳକୁ ସ୍ୱେଚ୍ଛାକୃତ ଭାବେ ବନ୍ଦ ରଖିବା ପାଇଁ ଶାନ୍ତିପୂର୍ଣ୍ଣ ପ୍ରଚାର ଓ ପିକେଟିଂ କରାଯିବ।

ସାଧାରଣ ଜୀବନଯାତ୍ରା ଯେପରି ଅତ୍ୟାବଶ୍ୟକ କ୍ଷେତ୍ରରେ ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସମସ୍ତ ପ୍ରକାର ଜରୁରୀ ସେବାକୁ ବନ୍ଦରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଛି। ସରକାରୀ ଓ ବେସରକାରୀ ହସ୍ପିଟାଲ, ନର୍ସିଂହୋମ୍, କ୍ଲିନିକ୍, ଆପାତକାଲୀନ ଚିକିତ୍ସା କେନ୍ଦ୍ର, ଡାୟାଗ୍ନୋଷ୍ଟିକ୍ ସେଣ୍ଟର, ରକ୍ତ ଭଣ୍ଡାର, ୧୦୮ ଓ ୧୦୨ ସମେତ ସମସ୍ତ ଆମ୍ବୁଲାନ୍ସ, ଔଷଧ ଦୋକାନ, ଜନ ଔଷଧି କେନ୍ଦ୍ର ଏବଂ ଦୁଗ୍ଧ ଯୋଗାଣ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁ ରହିବ। ଏହାବ୍ୟତୀତ ଅଗ୍ନିଶମ ବାହିନୀ, ବିପର୍ଯ୍ୟୟ ପରିଚାଳନା, ଜରୁରୀ ପୋଲିସ ସେବା, ବିଦ୍ୟୁତ୍ ଓ ଜଳ ଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ଏବଂ ସ୍କୁଲଗୁଡ଼ିକର ପରୀକ୍ଷା କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି କରାଯିବ ନାହିଁ।

ସେହିପରି ଖବର ସଂଗ୍ରହ ଓ ବିତରଣ କରୁଥିବା ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି ଏବଂ ଖବରକାଗଜ ବାଣ୍ଟୁଥିବା ବ୍ୟକ୍ତିମାନଙ୍କୁ ନିଜ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବନ୍ଦ ସମୟରେ ପିକେଟିଂ ଓ ଧାରଣା ଦେଉଥିବା କର୍ମୀମାନଙ୍କୁ ସାଧାରଣ ଲୋକଙ୍କ ସହିତ ନମ୍ର, ଭଦ୍ର, ସଂଯମୀ ଓ ଗଣତାନ୍ତ୍ରିକ ବ୍ୟବହାର କରିବା ସହ ରୋଗୀ, ବୃଦ୍ଧ, ଶିଶୁ, ମହିଳା ଏବଂ ଜରୁରୀ ଯାତାୟାତ କରୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାଟ ଛାଡ଼ିଦେବାକୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *