ଭୁବନେଶ୍ବର: ଚଳିତ ଥର ମୌସୁମୀ ବର୍ଷା ସ୍ୱାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି। ମାସ ଶେଷରେ ଏକ ଘୂର୍ଣ୍ଣିବଳୟ ଥିବା ବେଳେ ଆଗୁଆ ଆସିପାରେ ମୌସୁମୀ। ଏନେଇ ପାଣିପାଗ ବିଶେଷଜ୍ଞ କରିଛନ୍ତି ଆକଳନ। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ୨୩ ତାରିଖ ବେଳକୁ ଉତ୍ତର ଅଣ୍ଡାମାନରେ ମୌସୁମୀ ଛୁଇଁପାରେ।

ଅନୁକୂଳ ମୌସୁମୀ ଯୋଗୁ ସାରା ଦେଶରେ ଚଳିତ ବର୍ଷ ଆବଶ୍ଯକତା ପରିମାଣଠାରୁ ଅଧିକ ବର୍ଷ ହେବ ବୋଲି ବିଶେଷଜ୍ଞ କହିଛନ୍ତି। କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ପୃଷ୍ଠରେ ସୃଷ୍ଟି ହେଉଥିବା ତାପମାତ୍ରା ଆବଶ୍ଯକତାଠାରୁ ଅଧିକ ଥଣ୍ଡା ହୋଇଥିବାରୁ ଏହାର ପ୍ରଭାବ ବର୍ଷା ଉପରେ ପକାଇବ। ଭାରତ ମହାସାଗରର ପୃଷ୍ଠରେ ତାପମାତ୍ରାରେ ତାରତମ୍ଯ ହେତୁ ଏହି ଆଶା କରାଯାଉଛି। ଅନୁକୂଳ ପରିବେଶ ଯୋଗୁ ଜୁଲାଇରୁ ସେପ୍ଟେମ୍ବର ମଧ୍ଯରେ ବର୍ଷା ପରିମାଣ ବଢିବ ବୋଲି କୁହାଯାଇଛି।

ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଅଣ୍ଡାମାନ ଛୁଇଁଥାଏ। ଏଥର ମଧ୍ୟ ୨୨ରେ ଅଣ୍ଡାମାନରେ ବର୍ଷା ହେବ। ଏହାପରେ ମୌସୁମୀ ଛୁଇଁବ। ପରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବା ଦ୍ବାରା ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ, ଉତ୍ତର ପୂର୍ବ ଭାରତ ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ।

ତେବେ ଓଡ଼ିଶାରେ ଏହାର କି ପ୍ରକାର ପ୍ରଭାବ ରହିବ ତାହା ୧୯ ତାରିଖ ପରେ ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ସେ ଆହୁରି ଆକଳନ କରିଛନ୍ତି ଯେ ୧୭ ବେଳକୁ ଦକ୍ଷିଣ ତାମିଲନାଡ଼ୁ ଓ କେରଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖ ପରେ ଭୁବନେଶ୍ୱର ସମେତ ବାଲେଶ୍ୱର, ବାରିପଦା, ଢେଙ୍କାନାଳ, କେନ୍ଦୁଝର, ଚାନ୍ଦବାଲି ତାପମାତ୍ରା ପୁଣି ଥରେ ୪୦ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଛି। ମୌସୁମୀ ବର୍ଷା ସ୍ୱାଭାବିକ ସମୟ ପୂର୍ବରୁ ଆସିବାକୁ ଥିବାରୁ କୃଷକମାନେ ଚାଷ ପାଇଁ ବିହନ ପାଖରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *