ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଦେଖାଦେଇଛି। ଶପଥ ଗ୍ରହଣ କରିବା ପୂର୍ବରୁ ଏକ ଗଣମାଧ୍ୟମକୁ ଦେଇଥିବା ବିବାଦୀୟ ମନ୍ତବ୍ୟକୁ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ରାମ ଅତୀତରେ ଝାଡ଼ଖଣ୍ଡ ପରି ଓଡ଼ିଶାରେ ମଧ୍ୟ ବିଜେପି ଏସସି ମୋର୍ଚ୍ଚା ପାଇଁ କାମ କରିବେ ବୋଲି ପ୍ରକାଶ ପାଇଥିବା ଖବରକୁ ନେଇ ବୁଧବାର ଦିନ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟପାଳ ପରି ଏକ ସାମ୍ବିଧାନିକ ଓ ମର୍ଯ୍ୟାଦାପୂର୍ଣ୍ଣ ପଦବୀରେ ରହି ବିଜେପିର ଭୋଟ୍ ବଢ଼ାଇବା ପାଇଁ କାମ କରିବି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ବିଜେପିର ପ୍ରକୃତ ଚରିତ୍ରକୁ ପଦାରେ ପକାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ, “ରାଜ୍ୟପାଳ ପରି ମର୍ଯ୍ୟାଦାପୂର୍ଣ୍ଣ ପଦବି ପାଇବା ପରେ ଓଡ଼ିଶାରେ ବିଜେପିର ଭୋଟ ବଢ଼ାଇବା ପାଇଁ କାମ କରିବେ” ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ବିଜେପିର ଅସଲ ଚରିତ୍ରକୁ ସ୍ପଷ୍ଟ କରୁଛି। ବିଜେପି ସରକାର ଦେଶର ଗୋଟିଏ ପରେ ଗୋଟିଏ ସାମ୍ବିଧାନିକ ସଂସ୍ଥାକୁ ଦଳର କବଜା କରିଚାଲିଛନ୍ତି। ତେବେ, ଏତେ ଉଚ୍ଚ ପଦବୀରେ ଯୋଗ ଦେବାକୁ ଯାଉଥିବା ପୂର୍ବରୁ କେହି ଏପରି ଖୋଲାଖୋଲି ଦଳୀୟ ରାଜନୀତି କରିନଥିଲେ। ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେବା ପରେ ସେ ସମ୍ବିଧାନର ଧାରା ୧୫୨ରୁ ୧୬୨ ଓ ୨୧୩, ୩୫୬ ପରି ସମ୍ପର୍କିତ ଧାରାଗୁଡ଼କ ପଢ଼ି ନିଜ ଦାୟିତ୍ୱବୋଧ ବିଷୟରେ ସଚେତନ ହେବା ବଦଳରେ ଏପରି ନିମ୍ନ ସ୍ତରର ମନ୍ତବ୍ୟ ଦେବା ନିନ୍ଦନୀୟ। ଏପରି ବ୍ୟକ୍ତିଙ୍କୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ କରାଇବାରେ ନିଜର ଆପତ୍ତି ଦର୍ଶାନ୍ତୁ ବୋଲି ଅରବିନ୍ଦ ଦାସ ଦାବି କରିଛନ୍ତି। Post navigation Mahanadi Riverfront Project in kataka: ୨ ବର୍ଷ ଭିତରେ ମହାନଦୀ ରିଭର ଫ୍ରଣ୍ଟ ସହ କଟକର ହେବ ପୂର୍ଣ୍ଣାଙ୍ଗ ବିକାଶ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା Candidates asked to Update Details: ପୋଲିସ ଏସଆଇ ପରୀକ୍ଷା ପାଇଁ ତଥ୍ୟ ଅପଡେଟ୍ ନିର୍ଦ୍ଦେଶ