ପ୍ରଚାର ପାଇଁ ବଲାଙ୍ଗିରରେ ପହଁଚିଲେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିଲେ। ବଲାଙ୍ଗୀର ସଭା ମଞ୍ଚରୁ କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ ରାଜ୍ୟସରକାରଙ୍କ ବିଷୟରେ ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଘେରିବା ସହିତ ସମ୍ବିଧାନକୁ କେହି ହାତ ମାରିପାରିବେ ନାହିଁ ବୋଲି କହିଛନ୍ତି ରାହୁଲ । ସେ କହିଛନ୍ତି, ଏ ଲଢେଇ ଦୁଇ ବିଚାରଧାରା ଭିତରେ ଚାଲିଛି । ପ୍ରଥମ ଥର ପାଇଁ କୌଣସି କୌଣସି ରାଜନୈତିକ ଦଳ କହିଛି ଯେ, ନିର୍ବାଚନ ଜିତିଲେ ସେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ବିଜେପିର ବଡ ବଡ ନେତା ମଧ୍ୟ କହୁଛନ୍ତି, ନିର୍ବାର୍ଚନ ଜିତିଲେ ସମ୍ବିଧାନକୁ ଚିରିକି ଫୋପାଡିଦେବେ । ହେଲେ ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ଅନ୍ୟପଟେ ଯଦି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ, ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଯଦି ଆମେ ଜିତିବୁ ସଂରକ୍ଷଣକୁ ଶେଷ କରିଦେବୁ । ପୂରା ପବ୍ଲିକ ସେକ୍ଟରକୁ ଉଦ୍ୟୋଗପତିଙ୍କୁ ବିକିଛନ୍ତି । ୨୨ ଜଣ ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି । ୨୪ ବର୍ଷର ମନରେଗା ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଦେଇଛନ୍ତି କେନ୍ଦ୍ର ସରକାର । ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ । ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଜୁନ୍ ୪ରେ ଭାରତରେ ହେବ ଇଣ୍ଡିଆ ମେଣ୍ଟର ସରକାର । ବୁଧବାର ବଲାଙ୍ଗୀରରେ କଂଗ୍ରେସ ପାଇଁ ପ୍ରଚାର କରିବା ସହିତ ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୋଦୀ ୨୨ ଜଣ ଲୋକଙ୍କୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦେଇଛନ୍ତି । ହେଲେ ଆମେ ଆମେ କୋଟି କୋଟି ଲୋକଙ୍କୁ ଲକ୍ଷପତି ବନେଇବାକୁ ଯାଉଛୁ ।

ରାହୁଲ କହିଛନ୍ତି, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ । ଏହାପରେ ଭାରତର ସବୁ ଗରିବ ଲୋକଙ୍କ ଏକ ଲିଷ୍ଟ ହେବ । ଗରିବ, ପଛୁଆ ବର୍ଗ, ଦଳିତ, ସଂଖ୍ୟାଲଘୁ ସମସ୍ତଙ୍କର ଲିଷ୍ଟ ହେବ । ତା ସହିତ ପ୍ରତି ଗରିବ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ଜୁନ୍ ୪ରେ ସରକାର ଗଠନ ହେବାର ମାସକ ଭିତରେ ଅର୍ଥାତ ଜୁଲାଇ ୪ ତାରିଖରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ୮୫୦୦ ଟଙ୍କା ଆସିବ । ଏହାପରେ ପ୍ରତି ମାସରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଏହିପରି ଭାବେ ଗୋଟିଏ ବର୍ଷରେ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ବଲାଙ୍ଗୀରରେ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ସରକାର ଆସିଲା ପରେ, ସବୁ ଫ୍ୟାକ୍ଟ୍ରି ପୁଣି ଚାଲୁହେବ । ଫ୍ୟାକ୍ଟ୍ରି ଚାଲୁ ହେବା ପରେ ଲୋକଙ୍କୁ ରୋଜଗାର ମିଳିବ । ଆମେ ଭାରତର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରୁଛୁ । ଇଞ୍ଜିନରେ ପେଟ୍ରୋଲ ଦେଉଛୁ । ଏଥିରେ ଇଞ୍ଜିନ ହେଉଛନ୍ତି ଆପଣ, ପେଟ୍ରୋଲ ହେଉଛି ଏହି ଏକ ଲକ୍ଷ ଟଙ୍କା ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଅନ୍ୟପଟେ ପୂୂର୍ବରୁ ଯେମିତି ଚାଷୀଙ୍କର ଋଣ ଛାଡ ହେଇଥିଲା, ସେମିତି ପୁଣି ଋଣ ଛାଡ କରିବୁ । ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନ୍ ସହିତ ଗ୍ୟାରେଣ୍ଟି ଦେବୁ । ମୋଦୀ ସରକାର ୩ଟି କଳା ଆଇନ୍ ବନେଇଲେ । ଏବେ କିନ୍ତୁ ଆମେ ଋଣ ଛାଡ କରିବୁ, ଗ୍ୟାରେଣ୍ଟି ସର୍ବନିମ୍ନ ସହାୟକ ମୂଲ୍ୟ ଦେବୁ । ଓଡିଶାରେ ବହୁତ ପରିବାର ମନରେଗା କାମ କରନ୍ତି । ବହୁତ ମହିଳା ଆଶା ଅଙ୍ଗନବାଡି କାମ କରନ୍ତି । ମନରେଗାରେ ଆଜି ମୋଦୀ ୨୫୦ ଟଙ୍କା ଦେଉଛନ୍ତି , ହେଲେ ଇଣ୍ଡିଆ ମେଣ୍ଟ ଆପଣଙ୍କୁ ୪ ଶହ ଟଙ୍କା ଦେବାକୁ ଯାଉଛି । ସେହିପରି ଆଶା, ଅଙ୍ଗନବାଡି କର୍ମୀଙ୍କୁ ଦୁଇ ଗୁଣା ଟଙ୍କା ଦେବ କଂଗ୍ରେସ ପାର୍ଟି । ସେହିପରି ବେରୋଜଗାର ଗ୍ରାଜୁଏଟଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।

Leave a Reply

Your email address will not be published. Required fields are marked *