ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ସଭାରେ ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନକୁ ସମର୍ଥନ କରିବା ସମୟରେ ବିଜେଡିକୁ ଲକ୍ଷ୍ୟ କରି କିଛି ମିଛ ମନ୍ତବ୍ୟ ଦେଇଥିବା ବେଳେ ବିଜୁ ଜନତା ଦଳ ଏହାକୁ ଦୃଢ଼ଭାବେ ନିନ୍ଦା କରୁଛି । ଓଡ଼ିଶାର ଲୋକଙ୍କ ସାମ୍ୱିଧାନିକ ଅଧିକାର ଓ ଆର୍ଥିକ ସ୍ୱାର୍ଥ ପାଇଁ ଠିଆ ହେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଖଣି ମାଲିକଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ବୋଲି ବିଜେଡି ମତ ରାଖିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଓ ଅମ୍ରିତା ମିଶ୍ର କହିଛନ୍ତି, ରାଜନୈତିକ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଆଚରଣ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ନିଜକୁ ସମର୍ପିତ କରିବା ସହ ରାଜ୍ୟ ସ୍ୱାର୍ଥ ବିରୋଧରେ ଯାଇଛନ୍ତି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବାରମ୍ୱାର ପତ୍ର ମାଧ୍ୟମରେ ବିଧାନସଭାର ବିଶେଷ ଅଧିବେଶନ ଡକାଇବା ଏବଂ ସଂଶୋଧିତ ଆଇନକୁ ବିରୋଧ କରି ଏକ ପ୍ରସ୍ତାବ ପାସ୍ କରିବା ପାଇଁ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ସଂସଦରେ ଏହି ଆଇନ ପାସ୍ ହେବା ସମୟରେ ରାଜ୍ୟର ସ୍ୱାର୍ଥ କଥା ଭୁଲି ଯାଇ ନୀରବଦ୍ରଷ୍ଟା ସାଜିଥିଲେ । ଓଡିଶା ପାଇଁ ଏହି କଳା ଆଇନ ପ୍ରତ୍ୟାହାର ପାଇଁ ଦାବି କରିବା ବା ଓଡ଼ିଶାର ଅଧିକାର ସୁରକ୍ଷା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବିଜେଡି ଉପରେ ଆକ୍ଷେପ କରିବାରେ ନିଜର ଶକ୍ତି ଖର୍ଚ୍ଚ କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଭବିଷ୍ୟତ ଅପେକ୍ଷା ମୁଖ୍ୟମନ୍ତ୍ରୀ ନିଜର ଚୌକି ବଞ୍ଚାଇବା ଓ ରାଜନୈତିକ ସୁବିଧାକୁ ପ୍ରାଥମିକତା ଦେଉଥିବା ସ୍ପଷ୍ଟ ଅନୁମେୟ ହେଉଛି । ସାମ୍ୱିଧାନିକ ଦୃଷ୍ଟିରୁ, ସଂଶୋଧିତ ଏମଏମଡିଆର ଆଇନ ସଙ୍ଘୀୟତାର ମୂଳଭିତ୍ତିକୁ ଆଘାତ କରେ । ସୁପ୍ରିମକୋର୍ଟଙ୍କ ୨୦୨୪ ମସିହାର ଐତିହାସିକ ରାୟରେ ରାଜ୍ୟମାନଙ୍କର ଖଣିଜ ଅଧିକାର ଓ ଖଣିଜ-ସମ୍ପନ୍ନ ଜମି ଉପରେ କର ଆଦାୟ କରିବାର କ୍ଷମତା ସ୍ପଷ୍ଟ ଭାବେ କୁହାଯାଇଥିଲା । ଏହି ସଂଶୋଧନ, ବିଶେଷକରି ଖଣିଜ-ସମ୍ପନ୍ନ ଜମି ଉପରେ କେନ୍ଦ୍ରର ନିୟନ୍ତ୍ରଣ ବିସ୍ତାର କରୁଥିବା, ରାଜ୍ୟ ସରକାରମାନଙ୍କୁ ଖଣିଜ ଅଧିକାର ଉପରେ କର, ସେସ୍ ବା ସମାନ ଧାର୍ଯ୍ୟ ଆରୋପ କରିବାରୁ ବାରଣ କରୁଥିବା ଏବଂ କେନ୍ଦ୍ର ସରକାରକୁ ଏହିପରି କର ସୀମିତ କରିବା ପାଇଁ ନିୟମ ପ୍ରଣୟନର କ୍ଷମତା ଦେଉଥିବା ବ୍ୟବସ୍ଥା ମାଧ୍ୟମରେ, ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସ୍ୱୀକୃତ ଅଧିକାରକୁ ବାସ୍ତବରେ ନଷ୍ଟ କରିଦେଇଛି । ଏହା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ୱିଧାନିକ ସନ୍ତୁଳନକୁ ଦୁର୍ବଳ କରେ ଏବଂ ଓଡ଼ିଶା ଭଳି ଖଣିଜ-ସମ୍ପନ୍ନ ରାଜ୍ୟମାନଙ୍କୁ କେବଳ କେନ୍ଦ୍ରୀୟ ନିର୍ଦ୍ଦେଶର କାର୍ଯ୍ୟକାରୀ ଭାବେ ପରିଣତ କରେ । ବିଜେଡି ଲଗାତର ଭାବେ କହିଆସିଛି ଯେ, କୌଣସି ଆଇନକୁ ସଙ୍ଘୀୟ ଢାଞ୍ଚା ଏବଂ ନିଜ ପ୍ରାକୃତିକ ସମ୍ପଦ ଉପରେ ଓଡ଼ିଶା ଜନତାଙ୍କ ଅଧିକାରକୁ ଲଙ୍ଘନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଆର୍ଥିକ ଦୃଷ୍ଟିରୁ, ଓଡ଼ିଶା ପାଇଁ ଏହାର ପରିଣାମ ଭୟଙ୍କର । ଏହି ସଂଶୋଧନ ଆଇନ ରାଜ୍ୟ ଆଦାୟ କରିବାକୁ ଥିବା ବକେୟା ୧ ଲକ୍ଷ କୋଟି ଟଙ୍କା ଆଉ ଆଦାୟ କରିପାରିବ ନାହିଁ ଏବଂ ବାର୍ଷିକ ୧୨ ହଜାର କୋଟି ଟଙ୍କା ରାଜସ୍ୱ କ୍ଷତି ଘଟାଇବ ବୋଲି ଆକଳନ କରାଯାଉଛି । ଏହା କେବଳ ଅଙ୍କ ନୁହେଁ; ଏପରି ସମ୍ପଦ ଯାହା ଖଣି ପ୍ରଭାବିତ ଅଞ୍ଚଳରେ ବିଦ୍ୟାଳୟ, ହସ୍ପିଟାଲ୍, ସଡ଼କ, ପାନୀୟ ଜଳ, ଆଦିବାସୀ ବିକାଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ବ୍ୟବହୃତ ହୋଇପାରିଥାନ୍ତା । ଓଡ଼ିଶାର ଲୋକେ ରାଜ୍ୟର ଖଣିଜ ଓ ଜମିର ପ୍ରକୃତ ମାଲିକ । ବିଜୁ ଜନତା ଦଳ ଏହି ଅଧିକାରକୁ ଦୁର୍ବଳ କରିବାର ଯେକୌଣସି ପ୍ରୟାସକୁ ପ୍ରତିରୋଧ କରିବା ଜାରି ରଖିବ । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରୁଛୁ ଯେ ସେ ବିରୋଧୀ ଦଳକୁ ଆକ୍ଷେପ କରିବା ବନ୍ଦ କରନ୍ତୁ ଏବଂ ରାଜ୍ୟକୁ କ୍ଷତି ପହଞ୍ଚାଉଥିବା କେନ୍ଦ୍ରୀୟ ଆଇନ ସହିତ ନୁହେଁ, ଜନତା ସହିତ ଠିଆ ହୁଅନ୍ତୁ । ବିଜେଡି ଓଡ଼ିଶାର ସାମ୍ୱିଧାନିକ ଅଧିକାର, ଆର୍ଥିକ ସ୍ୱାୟତ୍ତତା ଏବଂ ଆର୍ଥିକ ଭବିଷ୍ୟତ ସୁରକ୍ଷା ପାଇଁ ଦୃଢ଼ଭାବେ ପ୍ରତିଶ୍ରୁତିବଦ୍ଧ ରହିଛି । ରାଜନୈତିକ ଆକ୍ରମଣ ଏହି ଆଇନ ରାଜ୍ୟ ଉପରେ ପକାଇବାକୁ ଯାଉଥିବା କ୍ଷତିକୁ ଲୁଚାଇପାରିବ ନାହିଁ । Post navigation Air France Adopts Israeli Restrictions: फ्लाईदुबई घटना के बाद मुस्लिम क्रू मेंबर्स की बढ़ीं मुश्किलें, एयर फ्रांस ने मानी इजरायल की पाबंदियां