ବିଜୁ ଜନତା ଦଳରୁ ଯାଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନ ପାଇଁ ଭାଜପାରୁ ପ୍ରାର୍ଥୀ ହେଉଛନ୍ତି । ଜୁନ୍ ୧୮ତାରିଖରେ ଗୋଟିଏ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ । କିନ୍ତୁ ଏହା ଭିତରେ ଅର୍ଥାତ ବିଜଦ ଛାଡ଼ିବା ପରେ ଦେବାଶିଷ ଯେଉଁଭଳି ଭୈରବ କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଧୁଲେଇ କରିଛନ୍ତି ତାହା ପାଣ୍ଡିଆନପନ୍ଥୀଙ୍କୁ ବଡ଼ ଅଶ୍ବସ୍ତି ଭିତରକୁ ଠେଲି ଦେଇଛି । ବିଭିନ୍ନ ଚ୍ୟାନେଲକୁ ସାକ୍ଷାତକାର ଦେଇ ଅନେକ କଥା କହିଛନ୍ତି ଦେବାଶିଷ । ତେବେ ତା’ରି ଭିତରେ ସବୁଠୁ ବଡ଼ ବିତର୍କ ସୃଷ୍ଟିକାରୀ ଅଭିଯୋଗ ହେଲା ପାଣ୍ଡିଆନ ମୁମ୍ବାଇର ନରିମାନ ପଏଣ୍ଟରେ ୪୦୦କୋଟି ଟଙ୍କାର ଫ୍ଲାଟ୍ କିଣିଛନ୍ତି । ଏହି ଅଭିଯୋଗର ସତ୍ୟତା ଅଛି କି ନାହିଁ ତାହା ତର୍ଜମାର । ଅପେକ୍ଷା ରଖେ । କିନ୍ତୁ ଦଳ ଭିତରେ ପାଣ୍ଡିଆନପନ୍ଥୀ ନେତା ଓ ନେତ୍ରୀମାନେ ଏଭଳି ଅଭିଯୋଗକୁ କିଭଳି ଖଣ୍ଡନ କରିବେ ବୁଝି ପାରୁନାହାଁନ୍ତି। ଯେଉଁ ବ୍ୟକ୍ତି ଦଳରେ ନାହାଁନ୍ତି, ତାଙ୍କୁ ବିଜଦ ପ୍ରବକ୍ତା ହୁଅନ୍ତୁ କିମ୍ବା ଅନ୍ୟ ବରିଷ୍ଠ ନେତା ବା ନେତ୍ରୀ ସମର୍ଥନ ଜଣାଇ ବାହାରିବେ କେମିତି ? ଏହାଦ୍ଵାରା ସେମାନେ ଅଧିକ ଲୋକହସା ହେବେ । କେବଳ ନବୀନ ପଟ୍ଟନାୟକ ଏବାବଦରେ ମୁହଁ ଖୋଲିପାରନ୍ତି । କିନ୍ତୁ ମୁହଁ ଖୋଲିବାର ଗ୍ୟାରେଣ୍ଟି ନାହିଁ । ଦେବାଶିଷ କେବଳ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ ନବୀନଙ୍କୁ କବ୍ଜାରେ ରଖୁଛନ୍ତି। ତାଙ୍କ ଉତ୍ତରାଧିକାରୀ ହୋଇଗଲେଣି । ବିଜୁ ନବୀନ ଟ୍ରଷ୍ଟର ମାଲିକ ବନିଛନ୍ତି । ବିଜଦକୁ ପାଣ୍ଡୁ ଜନତା ଦଳରେ ପରିବର୍ତ୍ତନ କରିଛନ୍ତି । ଏସବୁ କଡ଼ା ଆକ୍ରମଣ ପରେ ଦଳ ଭିତରେ ଥିବା ପାଣ୍ଡିଆନ ବିରୋଧୀମାନେ ଅଧିକ ଉତ୍ସାହିତ । ଯେଉଁ ଗୋଷ୍ଠୀ ପାଣ୍ଡିଆନଙ୍କୁ ଫେରାଇ ଆଣିବା ପାଇଁ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ କରିଥିଲେ, ସେମାନଙ୍କୁ ୪୪୦ ଭୋଲ୍ଡର ଧକ୍କା ହୋଇଛି । ଯଦି ମୁମ୍ବାଇରେ ଘର କିଣିବା ଅଭିଯୋଗଟି ସତ ହୋଇଥାଏ ତା’ହେଲେ ତ ଚରମ ବିପଦ ପାଣ୍ଡିଆନଙ୍କ ପାଇଁ । ଏବେ ପାଣ୍ଡିଆନଙ୍କୁ ମୁହଁ ଖୋଲିବାକୁ ପଡ଼ିବ । ଦୁଇବର୍ଷ ହେଲା ମୁହଁ ଖୋଲି ନାହାଁନ୍ତି ପାଣ୍ଡିଆନ । ବିବାଦର ସୂତ୍ରଧର ପାଣ୍ଡିଆନ ବସ୍ତୁତଃ ନିରବ ରହିଆସିଛନ୍ତି । କିନ୍ତୁ ଏହି ନିରବ ରହିବା ତାଙ୍କ ରାଜନୈତିକ ଆକାଂକ୍ଷା ପ୍ରତି ବଡ଼ ବିପଦ ଯେ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ । Post navigation SIR process begins across Odisha, BLOs to conduct Door-to-Door Verification Odisha inks Semiconductor MoU with Intel, 3DGS: ଓଡ଼ିଶା ସରକାର, ଇଣ୍ଟେଲ୍ ଓ ୩ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ