ଓଡ଼ିଶାରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବା ନେଇ ଜାରି ହୋଇଥିବା ନିର୍ଦ୍ଦେଶର ପୁନର୍ବିଚାର ଦାବିରେ ଗିଗ୍ ୱାର୍କର୍ସ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଲୋୟର ପିଏମଜି ଠାରେ ବାଇକ୍ ଟ୍ୟାକ୍ସି ଚାଳକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଏବଂ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ୧୫ ଦିନ ମଧ୍ୟରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କିମ୍ବା ସମୀକ୍ଷା କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିୟନର ବ୍ୟାନର ତଳେ ବହୁ ସଂଖ୍ୟାରେ ଗିଗ୍ କର୍ମଚାରୀ ଓ ରାଇଡର୍ସ ଲୋୟର ପିଏମଜିରେ ଏକତ୍ରିତ ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି। ଧାରଣାରେ ସାମିଲ ଥିବା ଚାଳକମାନଙ୍କ କହିବା ଅନୁଯାୟୀ, ପ୍ରତିଦିନର ଖର୍ଚ୍ଚ, ପରିବାରର ଭରଣପୋଷଣ ଏବଂ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଏହି ସେବା ଉପରେ ନିର୍ଭରଶୀଳ। ହଠାତ୍ ସେବା ବନ୍ଦ ହୋଇଗଲେ ଏକ ବଡ଼ ବର୍ଗର ଯୁବକ ଓ ଗିଗ୍ ୱାର୍କର୍ସ ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଯିବାର ଆଶଙ୍କା ରହିଛି।

ମୋଟର ଯାନ ଆଇନ ଏବଂ ଆଗ୍ରିଗେଟର ନିୟମର ଉଲ୍ଲଂଘନ ଦର୍ଶାଇ ଘରୋଇ ପଞ୍ଜୀକୃତ ଦୁଇଚକିଆ ଯାନ ମାଧ୍ୟମରେ ଉବର ଓ ରାପିଡୋ ଭଳି ପ୍ଲାଟଫର୍ମଗୁଡ଼ିକୁ ୧୫ ଦିନ ମଧ୍ୟରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଯୋଗୁଁ ହଜାର ହଜାର ରାଇଡର୍ସଙ୍କ ଜୀବିକା ପ୍ରଭାବିତ ହେବା ସହ ଯାତ୍ରୀମାନଙ୍କ ପାଇଁ ସୁଲଭ ଯାତାୟାତ ସୁବିଧା ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇ କର୍ମଚାରୀମାନେ ନିଷ୍ପତ୍ତିର ପୁନର୍ବିଚାର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *