ନିଜ ଦାବି ପୂରଣ ଏବଂ ଚାକିରିରୁ ବହିଷ୍କାରକୁ ବିରୋଧ କରି ବୁଧବାର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହାଇ-ଟେନସନ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଅଭିନବ ଓ ବିପଦପୂର୍ଣ୍ଣ ପ୍ରତିବାଦ କରିଛନ୍ତି ବହିଷ୍କୃତ ବିଦ୍ୟୁତ୍ କର୍ମଚାରୀମାନେ। ଲୋୟର ପିଏମଜିରେ କିଛି ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବା ପରେ ମଧ୍ୟ ଦାବି ପୂରଣ ଦିଗରେ କେହି କର୍ଣ୍ଣପାତ ନ କରିବାରୁ କର୍ମଚାରୀମାନେ ଶେଷରେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ; ଭୁବନେଶ୍ୱର ଉପକଣ୍ଠରେ ଥିବା ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶୱାଟର ଆକ୍ୱାକଲଚର (CIFA) ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଟାୱାର ଉପରେ ଦୁଇଜଣ ଯୁବକ ଚଢ଼ିଯାଇଥିଲେ। ପରବର୍ତ୍ତୀ ସମୟରେ ସହରର ଅନ୍ୟ ସ୍ଥାନରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା। ସତ୍ୟବିହାର ଅଞ୍ଚଳରେ ଥିବା ଏକ ବିଦ୍ୟୁତ୍ ଟାୱାର ଉପରକୁ ୪ ଜଣ ଯୁବକ ଏବଂ ଆଚାର୍ଯ୍ୟ ବିହାର ସ୍ଥିତ ଅନ୍ୟ ଏକ ଟାୱାର ଉପରକୁ ୨ ଜଣ ଯୁବକ ,ହାଇଟେକ୍ ଓ ମଞ୍ଚେଶ୍ୱର ନିକଟରେ ମଧ୍ୟ ଟାୱାର ଚଢ଼ି ପ୍ରତିବାଦ କରାଯାଇଥିବା ସୂଚନା ରହିଛି । କେବଳ ରାଜଧାନୀରେ ନୁହେଁ ପିପିଲି ନିକଟସ୍ଥ ଉତ୍ତରା ଛକରେ ଥିବା ସିଫା ନିକଟ ବିଦ୍ୟୁତ ଟାୱାର ଉପରେ ଚଢି ୨ ଛଟେଇ କର୍ମଚାରୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ବିଦ୍ୟୁତ୍ ଟାୱାରଗୁଡ଼ିକ ଦେଇ ହେଉଥିବା ବିଦ୍ୟୁତ୍ ସରବରାହକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଚ୍ଛିନ୍ନ କରାଯାଇଛି। ଚାକିରିରୁ ବହିଷ୍କାର କରାଯିବା ଏବଂ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ କର୍ମଚାରୀମାନେ ଏଭଳି ଚରମ ଓ ବିପଦପୂର୍ଣ୍ଣ ପନ୍ଥା ଆପଣାଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। Post navigation National Scientific Convention on Homoeopathy in BBSR: ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ହୋମିଓପାଥି ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱ